୨୦୨୪ ନିର୍ବାଚନ ପରେ ପ୍ରଥମ ଉପନିର୍ବାଚନ ଦେଖିବ ଓଡ଼ିଶା । ଏହି ନିର୍ବାଚନ ଫଳାଫଳ ସରକାର ଭାଙ୍ଗିବନି କି ଗଢ଼ିବନି । ହେଲେ ୩ ରାଜନୈତିକ ଦଳର ଲୋକପ୍ରିୟତାର ଏସିଡ୍ ଟେଷ୍ଟର ପ୍ରମାଣ ଦେବ ଉପ-ନିର୍ବାଚନ ।ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ଉପ-ନିର୍ବାଚନ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । କାରଣ ନୂଆପଡ଼ାର ଫଳାଫଳ ଓଡ଼ିଶାବାସୀଙ୍କ ମୁଡକୁ ସାମ୍ନାକୁ ଆଣିବ । ନୂଆପଡ଼ା ରାଜନୀତିରେ ଦୀର୍ଘ ୨୫ ବର୍ଷ ହେବ ବିଜେଡି-ବିଜେପି ମଧ୍ୟରେ ସାପଶିଡ଼ି ଖେଳ ଲାଗି ରହିଛି । ଗତ ୬ଟି ନିର୍ବାଚନରୁ ୩ ଥର ବିଜେଡି, ୨ ଥର ବିଜେପି ଓ ଥରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ବିଜେଡିନେତା ପ୍ରତାପ ଜେନା କହିଛନ୍ତି ନୂଆପଡା ନିର୍ବାଚନ ମଣ୍ଡଳୀ ବିଜେଡି ଓ ନବୀନ ବାବୁଙ୍କ ସହ ଦୀର୍ଘଦିନ ଧରି ରହିଛି । ଆଗକୁ ବି ନୂଆପଡା ବିଜେଡି ସହ ରହିବ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଉପ ନିର୍ବାଚନ ତାରିଖ ଘୋଷଣା ପରେ ବିଜେପି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବ ଏବଂ ଉପନିର୍ବାଚନ ଜିତିବ । ସେହିଭଳି କଂଗ୍ରେସ ମଧ୍ୟ ଏହି ସିଟ୍ ହାତେଇବାକୁ ପୁରା ଦମ୍ ଲଗାଇବ ବୋଲି କହିଛନ୍ତି ବରିଷ୍ଠ ନେତା ଜୟଦେବ ଜେନା ।
