
ନୟାଗଡ଼,(ଓଡ଼ିଶା ଦର୍ପଣ): ମାଆ ପାଇଁ ଗଛଟିଏ, ପରିବେଶର ସ୍ୱଚ୍ଛତା ଓ ସୁରକ୍ଷା, ଗଛ ଲଗାଇବା ପାଇଁ ଅନ୍ୟକୁ ସଚେତନ ତଥା ଉତ୍ସାହିତ କରାଇବା ଉଦ୍ଦେଶ୍ୟରେ ଏକ ସଚେତନତା ରାଲି ନୟାଗଡ଼ ପୌରପରିଷଦ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଏହି ରାଲିରେ ଏନଏସି ଉଚ୍ଚ ବିଦ୍ୟାଳୟ ଓ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ,ନୟାଗଡ଼ର ଛାତ୍ରଛାତ୍ରୀ, ସମସ୍ତ କାଉନସିଲର, ଶିକ୍ଷକ ଶିକ୍ଷୟିତ୍ରୀ, ପୌରପରିଷଦ କର୍ମଚାରୀ ତଥା ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଯୋଗଦାନ କରିଥିଲେ। ଜିଲ୍ଲା ପାଠାଗାର ଠାରୁ ଶ୍ରୀଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ରାଲିକୁ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ପୌରାଧ୍ୟକ୍ଷା ନିରୁପମା ଖଟେଇ ଏବଂ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ପ୍ରମୁଖ ଅତିଥି ଭାବେ ଯୋଗଦାନ ପୂର୍ବକ ପତାକା ଦେଖାଇ ଉଦଘାଟନ କରିଥିଲେ।

ଶ୍ରୀଜଗନ୍ନାଥ ମନ୍ଦିର ନିକଟରେ ରାଲି ପହଞ୍ଚିବା ପରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ସେଠାରେ ଉପସ୍ଥିତ ହୋଇ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ସ୍ୱଚ୍ଛତା ଏବଂ ଗଛ ଲଗାଇବା ପାଇଁ ସାମୁହିକ ଶପଥ ପାଠ କରାଇଥିଲେ। ପରବର୍ତ୍ତୀ ସମୟରେ ଉପସ୍ଥିତ ଅତିଥି, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କାଉନସିଲର ମାନେ ମନ୍ଦିର ପରିସରରେ ବୃକ୍ଷ ରୋପଣ କରିଥିଲେ। ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରିଣୀ ସ୍ନେହଲତା ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୩ ଶହରୁ ଉର୍ଦ୍ଧ୍ୱ ବ୍ୟକ୍ତି ସାମିଲ ହୋଇଥିଲେ।
