ଦୁର୍ନୀତିର ଗନ୍ତାଘର ସାଜିଛି ରାୟଗଡା ପୌର ପରିଷଦ।

‎‎ରାୟଗଡ଼ା ତା ୧୮/୦୯ – ରାୟଗଡା ପୌର ପରିଷଦରେ ଯେଉଁ ନାଟକୀୟ ଢଙ୍ଗରେ ଚାଲିଛି ବିଜେଡ଼ି ଓ ବିଜେଡି ମଧ୍ୟରେ କନ୍ଦଳ ତାହାର ଭିତିରିଆ ଗୁମର ଖୋଲିବାକୁ ଲାଗିଛି । ପୌର ପରିଷଦର ବର୍ତ୍ତମାନ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ନେଇ ୧୯ ଜଣ କାଉନସିଲର ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେବା ପରେ ଏହି ଘଟଣାକୁ ନେଇ ରୋଚକ ବୟାନ ଦେଇଛନ୍ତି ଶୁଭ୍ରା ପଣ୍ଡା । ତାଙ୍କ କହିବା ଅନୁଯାୟୀ ପୌରପରିଷଦ କାର୍ଯ୍ୟଳୟରେ ଚାଲିଛି ଅନେକ ଦୁର୍ନୀତି।

ଦୁର୍ନୀତିରେ ସାମିଲ ଅଛନ୍ତି ଅଧ୍ୟକ୍ଷ ଓ ଅନେକ କାଉନସିଲର। ଦୁର୍ନୀତିର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ମୋତେ ନ୍ୟାୟ ପ୍ରଦାନ କରାଯାଉ ବୋଲି ଦାବୀ କରି ସେ ମଧ୍ୟ ଗତକାଲି ଲିଖିତ ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହୋଇଥିବା ପୋୖର ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡା ଗୋଟିଏ କାମର ଟେଣ୍ଡର ହୋଇ କାମ ସରିଥିଲେ ମଧ୍ୟ ସେହି କାମର ପୁନଃ ଟେଣ୍ଡର କରି ଦୁଇ ଦୁଇ ଥର ଅର୍ଥ ଆତ୍ମସାତ କରାଯାଉଛି । ପରିମଳ ସ୍ୱଚ୍ଛତା (sanitization) କାମରେ ମଧ୍ଯ ଦୁର୍ନୀତି ହୋଇଛି । ଦୁର୍ନୀତି ଚାଲିଥିବା ନେଇ ସେ କାର୍ଯ୍ୟ ନିର୍ବାହୀ ଅଧିକାରିଙ୍କୁ ଭେଟି ସମସ୍ତ ବିଷୟ ଜଣାଇବା ସହ ଲିଖିତ ଆକାରରେ ମଧ୍ୟ ଜଣାଇଛନ୍ତି । ସେହିପରି ୨୦୨୧ ମସିହାରୁ ସରକାରଙ୍କ ନିର୍ଦେଶ ଅନୁଯାୟୀ ଆଉଟସୋର୍ସିଙ୍ଗ ମାଧ୍ୟମରେ କୌଣସି ନିଯୁକ୍ତି ଦେବା ପୂର୍ବରୁ ସରକାରଙ୍କ ଅନୁମତି ନେଇ ଆବଶ୍ୟକ ଅନୁଯାୟୀ ନିଯୁକ୍ତି ଦେବା ପାଇଁ ନିୟମ ରହିଥିବା ବେଳେ ସରକାରଙ୍କ ବିନା ଅନୁମତିରେ କାର୍ଯ୍ୟାଳୟରେ ପ୍ରାୟ ୬୦ରୁ ଅଧିକ ଜଣଙ୍କୁ ଆଉଟସୋର୍ସିଙ୍ଗ ମାଧ୍ୟମରେ ନିଯୁକ୍ତି ଦିଆଯାଇଥିବା ସହ ସେମାନଙ୍କ ଠାରୁ ମୋଟା ଅଙ୍କର ଲାଞ୍ଚ କାରବାର ହୋଇଥିବା ନେଇ ମଧ୍ୟ ଅଭିଯୋଗ ଆଣିଛନ୍ତି ଶ୍ରୀମତି ପଣ୍ଡା । ଅନ୍ୟ ପଟେ ସେ ଏହି ଦୁର୍ନୀତିରେ କୌଣସି ସହଯୋଗ କରିନଥିବା ବେଳେ ତାଙ୍କ ବିରୋଧରେ ଆକ୍ରୋଶମୂଳକ ଭାବେ ଅନାସ୍ଥା ପ୍ରସ୍ତାବ ଅଣା ଯାଇଥିବା ନେଇ ଶୁଭ୍ରା ପଣ୍ଡା ପ୍ରକାଶ କରିଛନ୍ତି। ସୂଚନାନୁଯାୟୀ ଗତ ୯ ତାରିଖ ଦିନ ଏନ୍.ଭାସ୍କର ରାଓ ବିଜୁ ଜନତା ଦଳରୁ ଇସ୍ତଫା ଦେଇ ବିଜୁ ସ୍ୱାଭିମାନ ମଞ୍ଚ ଗଢ଼ିଥିଲେ । ଏହାପରେ ଗତ ଶୁକ୍ରବାର ଅର୍ଥାତ ୧୨ ତାରିଖ ଦିନ ବିଜେଡ଼ି ର ୨୧ ଜଣ କାଉନସିଲରଙ୍କ ମଧରୁ ୧୯ ଜଣ କାଉନସିଲର ଜିଲ୍ଲାପାଳଙ୍କୁ ଭେଟି ପୋୖର ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ।

ଅଧିକ ପଢନ୍ତୁ

Odisha Darpan Digital