ରାଜ୍ୟରେ ମତ୍ସ୍ୟ ଉତ୍ପାଦନକୁ ଦ୍ବିଗୁଣିତ କରାଯିବ । ଏଥିପାଇଁ ମତ୍ସ୍ୟ ଚାଷୀଙ୍କୁ ରାଜ୍ୟ ତଥା କେନ୍ଦ୍ର ସରକାର ବିଭିନ୍ନ ପ୍ରୋତ୍ସାହନ ଦେଉଛନ୍ତି ।ସମ୍ବଲପୁର ଜିଲ୍ଲା ତଥା ଆଖ ପାଖ ଜିଲ୍ଲାରେ ମାଛ ଚାଷର ବ୍ୟାପକ ସମ୍ଭାବନାକୁ ଦୃଷ୍ଟିରେ ରଖି ସମ୍ବଲପୁର ଗୋଶାଳା, ବାସନ୍ତପୁର ଠାରେ 100 ଏକର ପରିମିତ ଜମିରେ ସରକାର ଏବେ ଏକ ଆକ୍ଵା ପାର୍କ ତିଆରି କରିବାକୁ ଯାଉଛନ୍ତି । ଏଥିପାଇଁ ଇଡ଼କୋ ଜମି ଚିହ୍ନଟ କରି ବର୍ତ୍ତମାନ ବାଉଣ୍ଡ୍ରି ୱାଲ କାମ ଆରମ୍ଭ ହୋଇଛି । ଏହି ପାର୍କ ହେଲେ ଏହି ଅଞ୍ଚଳରେ ମତ୍ସ୍ଯ ଚାଷୀଙ୍କୁ ବହୁ ସୁବିଧା ସୁଯୋଗ ମିଳିବା ସହ ଏହା ରାଜ୍ୟର ମଧୁର ଜଳ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ହେବ ବୋଲି ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ।ବର୍ତ୍ତମାନ ରାଜ୍ୟରେ 12 ଲକ୍ଷ ମ୍ୟାଟ୍ରିକ ଟନ ମାଛ ଉତ୍ପାଦନ ହେଉଛି । ଏହା ସହ ରାଜ୍ୟରୁ 4 ହଜାର କୋଟି ଟଙ୍କାର ମାଛ ରପ୍ତାନୀ ହେଉଛି । ତେବେ ସର୍ବ ଭାରତୀୟ ସ୍ତରରେ ଜଣ ପିଛା ମଧୁର ମାଛର ଆବଶ୍ୟକତା 6 କେଜି ଥିବା ବେଳେ ଓଡ଼ିଶାରେ ଜଣ ପିଛା ଚାହିଦା 18 କେଜି ରହିଛି । ଏଭଳି ଭାବରେ ରାଜ୍ୟର ମଧୁର ମାଛର ଚାହିଦା ଅଧିକ ଥିବାରୁ ରାଜ୍ୟର ମଧୁର ମାଛ ଉତ୍ପାଦନ ଦ୍ବିଗୁଣିତ କରିବାକୁ ଲକ୍ଷ ରଖା ଯାଇଛି । ଅନ୍ୟପଟେ ସମ୍ବଲପୁର ଜିଲ୍ଲାରେ 30 ହଜାର ମେଟ୍ରିକ ଟନ୍ ମାଛ ଉତ୍ପାଦନ ହେଉଥିବା ବେଳେ ପଡୋଶୀ ବରଗଡ଼ ଓ ଝାରସୁଗୁଡା ଜିଲ୍ଲାରେ ମୋଟ 50 ହଜାର ମେଟ୍ରିକ ଟନ୍ ମାଛ ଉତ୍ପାଦନ ହେଉଛି । ଏହିଭଳି ଭାବେ ହୀରାକୁଦ ଡ୍ୟାମରୁ 800କୋଟି ଟଙ୍କାର ମାଛ ଉତ୍ପାଦନ ହେଉଛି ।”
