ଅଭିନେତ୍ରୀ ନୟନତାରା ଏବଂ ଜୟଙ୍କ ଫିଲ୍ମ ‘ଅନ୍ନପୂର୍ଣ୍ଣି’ ନିକଟରେ ଓଟିଟିରେ ରିଲିଜ୍ ହୋଇଛି। ହେଲେ ଏହି ଫିଲ୍ମକୁ ନେଇ ଅନେକ ବିବାଦ ମୁଣ୍ଡ ଟେକିଛି। ସିନେମାରେ ହିନ୍ଦୁ ସମୂଦାୟର ଧାର୍ମିକ ଭାବନାକୁ କ୍ଷତି ପହଞ୍ଚାଇବା ଏବଂ ଲଭ୍ ଜିହାଦ୍କୁ ସମର୍ଥନ କରିବା ଭଳି ଅଭିଯୋଗ ରହିଛି। ଗତ ଡିସେମ୍ବର ୨୯ରେ ଏହି ଫିଲ୍ମ ଓଟିଟି ପ୍ଲାଟ୍ଫର୍ମ ନେଟ୍ଫ୍ଲିକ୍ସରେ ମୁକ୍ତିଲାଭ କରିଥିଲା ।ଡିସେମ୍ବର ୧ରେ ଏହା ଥିଏଟରରେ ରିଲିଜ ହୋଇଥିଲା । ଏଥିରେ ଦେଖାଯାଇଥିବା କାହାଣୀକୁ ନେଇ କେତେଜଣ ଆପତ୍ତି ଉଠାଇଛନ୍ତି । ବନବାସ ସମୟରେ ଭଗବାନ ରାମ-ଲକ୍ଷ୍ମଣ-ସୀତା ଆମିଷ ଭୋଜନ କରୁଥିଲେ ବୋଲି ଏହି ଫିଲ୍ମରେ କୁହାଯାଇଛି । ସୋସିଆଲ ମିଡିଆରେ ଏହାକୁ ନେଇ ଜୋରଦାର ହଙ୍ଗାମା ହେବା ପରେ ନେଟ୍ଫ୍ଲିକ୍ସ ମଧ୍ୟ ଏହି ଫିଲ୍ମକୁ ହଟାଇଦେଇଛି ।
ଫିଲ୍ମ ନିର୍ମାତା ଆର୍. ରବିନ୍ଦ୍ରନ୍ ଏବଂ ଯତୀନ ସେଠୀ, ନିର୍ଦ୍ଦେଶକ ନିଲେଶ କ୍ରିଷ୍ଣାଙ୍କ ସମେତ ଅଭିନେତ୍ରୀ ନୟନତାରାଙ୍କ ସହ ସମସ୍ତ ଷ୍ଟାରଙ୍କ ବିରୋଧରେ ମୁମ୍ବାଇ ପରେ ଏବେ ମଧ୍ୟପ୍ରଦେଶରେ ମଧ୍ୟ ମାମଲା ରୁଜୁ କରାଯାଇଛି। ମୁମ୍ବାଇରେ ଅଭିଯୋଗକାରୀ ରମେଶ ସୋଲଙ୍କି ‘ଏକ୍ସ’ରେ ତାଙ୍କର ଏକ ପୋଷ୍ଟ ଶେୟାର କରିବା ସହ ଥାନାରେ ଅଭିଯୋଗ କରିଛନ୍ତି। ଯେଉଁଥିରେ ବାଲ୍ମୀକି ରାମାୟଣକୁ ଭୁଲ ଭାବେ ଦର୍ଶାଯାଇଥିବା ସହ ସିନେମାରେ ପ୍ରଭୁ ରାମ ମାଂସ ଭକ୍ଷଣ କରୁଥିବା ଆକ୍ଷେପ କରାଯାଇଛି।