ଭରପୁର ପୋଷଣ ଥିବା ଖାଦ୍ୟ ହେଉଛି ଅଣ୍ଡା । ଏହା ଏକ ସମ୍ପୂର୍ଣ୍ଣ ଖାଦ୍ୟ । ସବୁଠାରୁ କମ ମୂଲ୍ୟରେ ମିଳୁଥିବା ଏହି ପ୍ରାଣୀଜ ଖାଦ୍ୟ ହେଉଛି ଶିଶୁଙ୍କ ଉତ୍ତମ ସ୍ଵାସ୍ଥ୍ୟର ଆଧାର ଓ ଗ୍ରାମୀଣ ଅର୍ଥନୀତିର ଉତ୍ସ । ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଲୋକସେବା ଭବନ କନଭେନସନ ସେଣ୍ଟରଠାରେ ଆୟୋଜିତ ରାଜ୍ୟସ୍ତରୀୟ “ବିଶ୍ଵ ଅଣ୍ଡା ଦିବସ” ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହା କହିଛନ୍ତି ।ଏବେ ଦୈନିକ ପ୍ରାୟ ୧ କୋଟି ୧୭ ଲକ୍ଷ ଅଣ୍ଡା ଉତ୍ପାଦିତ ହେଉଛି । ବାର୍ଷିକ ୩୭୨ କୋଟି ଅଣ୍ଡା ଉତ୍ପାଦନ ହେଉଥିବା ବେଳେ ୨୦୨୯ ସୁଦ୍ଧା ବାର୍ଷିକ ୫୦୦ କୋଟି ଅଣ୍ଡା ଉତ୍ପାଦନ ଲକ୍ଷ୍ୟ ରହିଛି । ଆମ ରାଜ୍ୟରେ ବାର୍ଷିକ ଅଣ୍ଡାର ମୁଣ୍ଡପିଛା ଉପଲବ୍ଧତା ୮୦ ଗୋଟି ଥିବା ବେଳେ ସୁସ୍ଥ ଶରୀର ପାଇଁ ବାର୍ଷିକ ୧୮୨ ଗୋଟି ଅଣ୍ଡାର ଆବଶ୍ୟକତା ରହିଛି ବୋଲି ମାନ୍ୟବର ମନ୍ତ୍ରୀ ପ୍ରକାଶ କରିଥିଲେ । ତେଣୁ ଅଣ୍ଡା ଉତ୍ପାଦନରେ ଆତ୍ମନିର୍ଭର ହେବା ପାଇଁ ପ୍ରତ୍ୟେକ ବ୍ଲକ୍ ଓ ଜିଲ୍ଲାରେ ଯୁବ ଉଦ୍ୟୋଗୀମାନେ ଆଗେଇ ଆସିବାକୁ ମାନ୍ୟବର ମନ୍ତ୍ରୀ ଆହ୍ଵାନ କରିଥିଲେ ।
