ରାଜ୍ୟ କ୍ୟାବିନେଟ୍‌ରେ ୪ଟି ବିଭାଗର ୫ଟି ପ୍ରସ୍ତାବକୁ ଅନୁମୋଦନ

ରାଜ୍ୟ କ୍ୟାବିନେଟର ୨୯ତମ ବୈଠକରେ ୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍‌ଣରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ୪ଟି ବିଭାଗର ୫ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଛି। ‌ଆଗକୁ ରାଜ୍ୟରେ ୨୦୦ ଟି ଇ- ବସ ଚାଲିବ । ଯେଉଁଥିରେ ପ୍ରଥମକରି ଅନୁଗୁଳ, ଝାରସୁଗୁଡ଼ା, କେଉଁଝର ଓ ବାରିପଦାରେ ୨୫ ଲେଖାଏଁ ନୂଆ ଇ-ବସ ଚାଲିବ । ସେହିଭଳି ବ୍ରହ୍ମପୁର ଓ ସମ୍ବଲପୁର ୫୦ ବସ ଚାଲିବ । ଏଥିପାଇଁ ୯୫୨.୫୬ କୋଟି ଟଙ୍କା ଖର୍ଚ୍ଚ ହେବ ।ଏଣିକି ଆହାର ଯୋଜନାର ଖର୍ଚ୍ଚ ରାଜ୍ୟ ସରକାର ନିଜେ ବହନ କରିବେ । ଏଥିପାଇଁ ୫ ବର୍ଷ ପାଇଁ ୫୧୨ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା ଅନ୍ତର୍ଗତ କ୍ଷୁଦ୍ର ପ୍ରାଣୀ ଉନ୍ନୟନ ଉପ ଯୋଜନାକୁ କ୍ୟାବିନେଟ୍‌ର ମୋହର ବାଜିଛି। ଏହି ଯୋଜନା ଆସନ୍ତା ୪ ବର୍ଷ ପାଇଁ ୨୯୪.୩୬ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏହି ଯୋଜନା ଦ୍ୱାରା ୨୩ ହଜାର ୭୩୫ କୃଷକ ଉପକୃତ ହେବେ। ବିମାନ ବନ୍ଦର ଗୁଡିକର ଭିତ୍ତିଭୂମି ବିକାଶ ଓ ଆଧୁନୀକରଣ ପାଇଁ ଖର୍ଚ୍ଚ ହେବ ୪.୧୮୨ କୋଟି ଟଙ୍କା । ଏହାକୁ କ୍ୟାବିନେଟ୍ ର ମୋହର ବାଜିଛି । ବିମାନ ସଂଯୋଗ, ରକ୍ଷଣାବେକ୍ଷଣ, ମରାମତି, କର୍ଗୋ ଓ ଲଜେଷ୍ଟିକ ବିକାଶ, ନୂଆ ପ୍ରଯୁକ୍ତିବିଦ୍ୟା ର ବ୍ୟବହାର ଇତ୍ୟାଦି ଅର୍ନ୍ତଭୁକ୍ତ ରହିଛି ।

ଅଧିକ ପଢନ୍ତୁ