ନୂଆପଡା ଉପନିର୍ବାଚନ ପ୍ରସଙ୍ଗରେ ବିଜେଡିର ସୁଶାସନ, ବିଜେପି ସରକାରର ପ୍ରତିଶ୍ରୁତି ପ୍ରତାରଣାକୁ ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ବିଜେଡି ୨୪ ବର୍ଷ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟକୁ ସୁଶାସନ ଦେଇଛନ୍ତି । ଓଡ଼ିଶାର ଲୋକେ ସ୍ୱପ୍ନ ଦେଖିଥିଲେ ବର୍ତ୍ତମାନ ସରକାରକୁ ନେଇ । ନିର୍ବାଚନ ଇସ୍ତାହାରରେ କେତେ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏଥିରେ କେତେ ସଫଳ ହୋଇଛନ୍ତି ନୂଆପଡାବାସୀ ସମୀକ୍ଷା କରିବେ ।ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ, ଓଡ଼ିଶାର ମହିଳାମାନଙ୍କ ସୁରକ୍ଷା ଓ ସଶକ୍ତିକରଣ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ କ’ଣ କରିଛନ୍ତି ତାହା କାହାକୁ ଅଛପା ନାହିଁ । କିନ୍ତୁ ରାଜ୍ୟର ସ୍ଥିତି ଆଜି ଦ୍ରୁତ ଗତିରେ ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଖୋଦ୍ କେନ୍ଦ୍ର ସରକାରଙ୍କ ରିପୋର୍ଟ କହିଛି, ଓଡ଼ିଶାରେ ପ୍ରତି ଦିନ ହାରାହାରି ୧୫ ଜଣ ମହିଳା ବଳାକ୍ରାରର ଶିକାର ହେଉଛନ୍ତି । ଗତ ୧୬ ମାସ ଭିତରେ ୪ ହଜାର ମହିଳା ଏହି ଦଶା ଭୋଗିଲେଣି । ବେସରକାରୀ ଭାବେ ଏହି ସଂଖ୍ୟା ଢ଼େର ଅଧିକ ହେବ । ଏହା ହେଉଛି ବିଜେପି ସରକାରର ମହିଳା ଜାଗରଣ ଓ ସଶକ୍ତିକରଣ । ୧୭ ଲକ୍ଷ ଲକ୍ଷପତି ଦିଦି ତିଆରି ହୋଇଛି ବୋଲି କହୁଛନ୍ତି । ଏହାର ସଂଜ୍ଞା କ’ଣ ବୁଝି ହେଉନାହିଁ । ସୁଭଦ୍ରା ଯୋଜନାରେ ବାର୍ଷିକ ୫୦ ହଜାର ଦେବେ କହୁଥିଲେ ଏବେ ପାଞ୍ଚ ବର୍ଷରେ ୫୦ ହଜାର ଦେଉଛନ୍ତି । ଯାହାକି ଦୈନିକ ୨୮ ଟଙ୍କା ୩୦ ପଇସା ପଡୁଛି । ତେଣୁ ଲକ୍ଷପତି ଦିଦିର ସଂଜ୍ଞା ଅର୍ଥଶାସ୍ତ୍ରୀମାନଙ୍କୁ ଖୋଜିବାକୁ ପଡିବ । ଚାଷୀଙ୍କୁ ସରକାର ୮୦୦ ଟଙ୍କା ଇନପୁଟ ସବ୍ସିଡି ଦେଉଥିବା କହୁଛନ୍ତି । କିନ୍ତୁ ଚାଷୀ ପଞ୍ଜିକରଣର ନୂଆ ନୀତି ଆରମ୍ଭ କରିଦେଲେ । ଫଳରେ ବହୁ ଚାଷୀ ପଞ୍ଜିକରଣରୁ ବଞ୍ଚିତ । ଯାହା ଫଳରେ ବହୁ ଚାଷୀ ମଣ୍ଡିରେ ଧାନ ବିକି ପାରିବେ ନାହିଁ । ତେଣୁ ଏହା ଚାଷୀ ପୋଷଣ ନୀତି ନା ଚାଷୀ ମାରଣ ନୀତି ବୋଲି ପ୍ରଶ୍ନ କରିଛି ଦଳ ।ମାଗଣା ୩୦୦ ୟୁନିଟ୍ ବିଜୁଳି, ସମସ୍ତ ସାମାଜିକ ହିତାଧିକାରୀଙ୍କୁ ବର୍ଦ୍ଧିତ ଭତ୍ତା ଦିବା ସ୍ୱପ୍ନ ପାଲଟି ଯାଇଛି । ଏଥିପାଇଁ ଲୋକେ ବିଜେପିକୁ କ୍ଷମା ଦେବେ ନାହିଁ ବୋଲି ଶ୍ରୀ ଆଚାର୍ଯ୍ୟ କହିଥିଲେ ।
