ଦିଲ୍ଲୀ ବିସ୍ଫୋରଣ ଘଟଣାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କ ଉଚ୍ଚ ସ୍ତରୀୟ ବୈଠକ । ଗୁରୁବାର ସକାଳେ ତାଙ୍କ ବ୍ୟକ୍ତିଗତ ବାସଭବନରେ ବୈଠକ ଡାକିଥିରେ । ଯେଉଁଥିରେ ଗୁଇନ୍ଦା ସଂସ୍ଥା ଏବଂ ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। NIA ଠୁ ତଦନ୍ତର ଅପଡେଟ୍ ରିପୋର୍ଟ ନେଇଛନ୍ତି ଶାହ । ଆତଙ୍କବାଦୀ ଆଗାମୀ ଦିନରେ ଏଭଳି ବର୍ବର କାଣ୍ଡ ଭିଆଇବାକୁ ଯେପରି ସାହସ କରିବେନି, ସେହିପରି କଡ଼ା ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ଶାହ ।ସୂଚନାଯୋଗ୍ୟ, ଗତ ସୋମବାର ସନ୍ଧ୍ୟାରେ ଦିଲ୍ଲୀ ଲାଲ କିଲ୍ଲା ନିକଟ ମେଟ୍ରୋ ଷ୍ଟେସନ ୧ ନମ୍ବର ଗେଟ ପାଖରେ ଏକ କାରରେ ବିସ୍ଫୋରଣ ଘଟିଥିଲା। ଏଥିରେ ୧୩ ଜଣଙ୍କ ଜୀବନ ହାନି ଘଟିଥିବାବେଳେ ୨୦ରୁ ଅଧିକ ଆହତ ହୋଇଥିଲେ। ବିସ୍ଫୋରଣ ପଛରେ ପାକିସ୍ତାନୀ ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦର ହାତ ରହିଥିବା ଜଣାପଡ଼ିଛି। ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଏବଂ ଦିଲ୍ଲୀ ପୁଲିସ ଘଟଣାର ତନାଘନା ଜାରି ରଖିଥିବାବେଳେ ୧୨ରୁ ଅଧିକ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।ଏହି ଘଟଣା ସାମ୍ନାକୁ ଆସିବା ପରେ ଅଲ୍-ଫଲାହ ୟୁନିଭରସିଟିକୁ ନୋଟିସ ଜାରି କରିଛି ଜାତୀୟ ମୂଲ୍ୟାୟନ ଓ ମାନ୍ୟତା ପରିଷଦ ବା NAAC । ନାର୍କୋଟିକ ଓ FSL ଟିମ୍ ୟୁନିଭରସିଟି ପରିସରରେ ଯାଞ୍ଚ ଜାରି ରଖିଛନ୍ତି । ବିସ୍ଫୋରଣ ସ୍ଥଳରୁ DNA ଟେଷ୍ଟ ପରେ ଆତଙ୍କୀ ଉମର ହିଁ ଆତ୍ମଘାତୀ ଆତଙ୍କୀ ଥିବା ସ୍ପଷ୍ଚ ହୋଇଛି । ଦିଲ୍ଲୀ ବୋମା ବିସ୍ଫୋରଣ ମାମଲାରେ ଦିଲ୍ଲୀ, ଫରିଦାବାଦ, ଲକ୍ଷ୍ନୌ, କାନପୁର, ଶ୍ରୀନଗର ସମେତ ଦେଶର ବିଭିନ୍ନ ସ୍ଥାନରେ IB, NIA, ATS ଚଢାଉ ଜାରି ରଖିଛି ।
