ହ୍ୱାଟସଆପର ସବୁଠାରୁ ବଡ଼ ଡାଟା ଲିକ୍,୩୫୦ କୋଟି ହ୍ଵାଟ୍ସଆପ୍ ୟୁଜରଙ୍କ ଡାଟା ବିପଦରେ

୩୫୦ କୋଟି ହ୍ଵାଟ୍ସଆପ୍ ୟୁଜରଙ୍କ ଡାଟା ବିପଦରେ । ଏକ ବଡ଼ ନିରାପତ୍ତାଜନିତ ତ୍ରୁଟି କାରଣରୁ ୟୁଜରଙ୍କ ପ୍ରୋଫାଇଲ ଫୋଟୋ, ଷ୍ଟାଟସ୍ ଏବଂ ଆବାଉଟ୍ ସେକ୍ସନ୍‌ର ବିବରଣୀ ଲିକ୍ ହୋଇପାରେ । ଭିଏନା ୟୁନିଭର୍ସିଟିର ଗବେଷକମାନେ ଏହି ତ୍ରୁଟିକୁ ଚିହ୍ନଟ କରିଛନ୍ତି ।ଗବେଷକମାନେ କୁହନ୍ତି ଯେ, ସମସ୍ୟା ହ୍ୱାଟ୍‌ସଆପ୍‌ର କଣ୍ଟାକ୍ଟ ଡିସ୍କଭରୀ ଫିର୍ଚରେ ରହିଛି । ୟୁଜରଙ୍କ ଫୋନ୍ ଆଡ୍ରେସ ବୁକକୁ ସିଙ୍କ୍ କରି ଲୋକଙ୍କୁ ଖୋଜିବା ସହଜ ହେବ, ସେଥିପାଇଁ ଏହି ଫିଚରକୁ ପ୍ରସ୍ତୁତ କରାଯାଇଥିଲା । କିନ୍ତୁ ଅଜାଣତରେ ଏହା ୟୁଜର ଡାଟାକୁ ବଡ଼ ଆକାରରେ ଚୋରି କରିବାର ଫାଟକ ଖୋଲିଦେଇଛି । ଭିଏନା ବିଶ୍ୱବିଦ୍ୟାଳୟର ଗବେଷକମାନେ ଲିଭ୍‌ଫୋନ୍‌ଜେନ୍ ଟୁଲ୍‌କୁ ବ୍ୟବହାର କରି ୨୪୫ ଦେଶର ରିୟଲିଷ୍ଟିକ୍ ଫୋନ୍ ନମ୍ବର ଜେନେରେଟ୍ କରିଛନ୍ତି । ଏହାପରେ ହ୍ୱାଟ୍‌ସଆପ୍‌ର ଏକ୍ସଏମ୍‌ପିପି ପ୍ରୋଟୋକଲରୁ କନେକ୍ଟ କରି କ୍ବେରି ପଠାଇଥିଲେ । ଗବେଷଣାରେ ୫ଟି ଆକାଉଣ୍ଟ୍‌ରୁ ୬୩୦୦ କୋଟି ସମ୍ଭାବ୍ୟ ନମ୍ବର ଚେକ୍ କରାଯାଇଥିଲା । ଶେଷରେ ଘଣ୍ଟା ପିଛା ୧୦ କୋଟି ବେଗରେ ୩୫୦ କୋଟି ସକ୍ରିୟ ଆକାଉଣ୍ଟ ମିଳିଥିଲା । ୫୬.୭% ୟୁଜରଙ୍କ ପ୍ରୋଫାଇଲ ପିକ୍ଚର ଏବଂ ୨୯.୩% ଆବାଉଟ୍ ଟେକ୍ସଟ୍ ସାମ୍ନାକୁ ଆସିଥିଲା । ଏହି ଟେକ୍ସଟରେ ରାଜନୈତିକ ମତ, ଧର୍ମ ଏବଂ ଅନ୍ୟ ସୋସିଆଲ ମିଡିଆ ଲିଙ୍କ୍ ବି ଥିଲା । ଭାରତରେ ୭୪.୯ କୋଟି ହ୍ଵାଟ୍ସଆପ୍ ୟୁଜର ଅଛନ୍ତି । ଇଣ୍ଡୋନେସିଆର ୨୩.୫ କୋଟି, ବ୍ରାଜିଲ୍ ର ୨୦.୭ କୋଟି, ଆମେରିକାର ୧୩.୮ କୋଟି ଏବଂ ରୁଷର ୧୩.୩ କୋଟି ଆକାଉଣ୍ଟ ରହିଛି।

ଅଧିକ ପଢନ୍ତୁ