ସଙ୍ଗୀତଧାରା ଭକ୍ତି ସଙ୍ଗୀତ ପ୍ରତିଯୋଗିତା, ୩୦ରେ  ଭାପୁର ଏବଂ ଖଣ୍ଡପଡ଼ା ବ୍ଲକ ଅଡିସନ

ନୟାଗଡ଼,(ଓଡ଼ିଶା ଦର୍ପଣ): ଆସନ୍ତା ୩୦ ତାରିଖ ଦିନ ସଙ୍ଗୀତଧାରା, ନୟାଗଡ଼ ପକ୍ଷରୁ ଭାପୁର ଏବଂ ଖଣ୍ଡପଡ଼ା ବ୍ଲକରେ ସିଜିନ-୩ ଭକ୍ତିସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏ ନେଇ  ସଙ୍ଗୀତଧାରା ସମ୍ପାଦକ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସୂଚନା ଦିଆଯାଇଛି। ଖଣ୍ଡପଡ଼ା ଆଞ୍ଚଳିକ ସାମ୍ବାଦିକ ଭବନରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ପ୍ରତିଯୋଗିତାର ଆଭିମୁଖ୍ୟ ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ପ୍ରସ୍ତୁତି ବୈଠକରେ ସଙ୍ଗୀତଧାରା ସଂଯୋଜକ ଲକ୍ଷ୍ମୀଧର ସାହୁ, ବରିଷ୍ଠ ସାମ୍ବାଦିକ ଭବାନୀ ଶଙ୍କର ସିଂହସାମନ୍ତ, ପୂର୍ଣଚନ୍ଦ୍ର ମହାପାତ୍ର, ଶଙ୍କର୍ଷଣ ସ୍ୱାଇଁ ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମର ସଫଳତା ସମ୍ପର୍କରେ ଆଲୋଚନା କରିଥିଲେ।  ସୂଚନାଯୋଗ୍ୟ ଯେ ଜିଲ୍ଲାରେ ଥିବା ଲୁକ୍କାୟିତ ସଙ୍ଗୀତ ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ‘ସଙ୍ଗୀତଧାରା’ ,ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ଭକ୍ତିସଙ୍ଗୀତ ପ୍ରତିଯୋଗିତା ଜିଲ୍ଲାର ସମସ୍ତ ବ୍ଲକରେ ଅନୁଷ୍ଠିତ ହେଉଅଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ୩୦ ତାରିଖ ରବିବାର ପୂର୍ବାହ୍ନ ୧୦.୩୦ରେ ଭାପୁର ବ୍ଲକ ସେଣ୍ଟ ଜାଭିଆର ହାଇସ୍କୁଲ ଠାରେ ଏବଂ ଅପରାହ୍ନ ୨ଟା ସମୟରେ ଖଣ୍ଡପଡ଼ା ବ୍ଲକ ସାମନ୍ତ ଚନ୍ଦ୍ର ଶେଖର ଶିକ୍ଷାକେନ୍ଦ୍ର ଠାରେ ବିନା ବାଦ୍ୟଯନ୍ତ୍ରରେ ପ୍ରତିଯୋଗୀ ମାନଙ୍କ ଅଡିସନ ନିଆଯିବ।  ୧୪ରୁ ୨୪ବର୍ଷ ବୟସର ଉଭୟ ପୁଅ ଝିଅ ଏହି ପ୍ରତିଯୋଗିତାରେ ଭାଗ ନେଇ  ପାରିବେ ବୋଲି ପ୍ରସ୍ତୁତି ବୈଠକରେ ସୂଚନା ଦିଆଯାଇଛି । ପ୍ରତିଯୋଗୀ ମାନେ ଠିକ ସମୟରେ ନିର୍ଦ୍ଧାରିତ  ସ୍ଥାନରେ ପହଞ୍ଚି ନାମ ପଞ୍ଜିକରଣ କରିବେ।  ସଙ୍ଗୀତଧାରା ନିଷ୍ପତ୍ତି ଅନୁଯାୟୀ ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ  ‘ନୟାଗଡ଼ ସଙ୍ଗୀତ କଲ୍ଲୋଳ’ ଉପାଧି ସହିତ ନଗଦ ୧୧ ହଜାର ଟଙ୍କା ପୁରସ୍କାର ଅର୍ଥରାଶି ଏବଂ ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନଙ୍କୁ ଯଥାକ୍ରମେ ୫ ହଜାର ଏବଂ ୩ ହଜାର ଅର୍ଥରାଶି ପୁରସ୍କାର ପ୍ରଦାନ ସହିତ ସମ୍ବର୍ଦ୍ଧିତ କରାଯିବ ବୋଲି ସୂଚନା ଦିଆଯାଇଛି।By:-Laxmidhar Sahoo

ଅଧିକ ପଢନ୍ତୁ