ପ୍ରଥମରୁ ଦ୍ୱାଦଶ ଯାଏଁ ପରିବର୍ତ୍ତନ ହେବ ପାଠ୍ୟ ପୁସ୍ତକ

ରାଜ୍ୟର ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ଖୁବଶୀଘ୍ର ରାଜ୍ୟର ବିଦ୍ୟାଳୟଗୁଡ଼ିକରେ ପାଠ୍ୟକ୍ରମ ବା ସିଲାବସ୍ ପରିବର୍ତ୍ତନ ହେବାକୁ ଯାଉଛି । ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶୁକ୍ରବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି।

ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟର ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବର୍ତ୍ତମାନର ପାଠ୍ୟକ୍ରମରେ ସମ୍ପୂର୍ଣ୍ଣ ପରିବର୍ତ୍ତନ କରାଯିବ। ପାଠ୍ୟପୁସ୍ତକ ପରିବର୍ତ୍ତନ ପାଇଁ ପ୍ରସ୍ତୁତି ପ୍ରକ୍ରିୟା ପର୍ଯ୍ୟାୟକ୍ରମେ ଜାରି ରହିଛି । ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପାଠ୍ୟକ୍ରମ ପରିବର୍ତ୍ତନ ସମ୍ପର୍କରେ ଗୃହରେ ଏକ ପ୍ରଶ୍ନ ପଚାରିଥିଲେ । ଶିକ୍ଷା ବ୍ୟବସ୍ଥାରେ ସମୟୋପଯୋଗୀ ସୁଧାର ଆଣିବା ଏବଂ ଛାତ୍ରଛାତ୍ରୀଙ୍କୁ ଉନ୍ନତମାନର ଶିକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ ସରକାର ପାଠ୍ୟପୁସ୍ତକ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ପ୍ରାଥମିକ ସ୍ତରରୁ ଉଚ୍ଚ ମାଧ୍ୟମିକ ସ୍ତର ଯାଏଁ ସମସ୍ତ ଛାତ୍ରଛାତ୍ରୀ ନୂଆ ବହି ପଢିବାର ସୁଯୋଗ ପାଇବେ ।ପୂର୍ବରୁ ଶିକ୍ଷକ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଓଡ଼ିଶା ପାଠ୍ୟକ୍ରମ ଢାଞ୍ଚା-୨୦୨୫’ କୁ ଉନ୍ମୋଚନ କରିଥିଲେ। ଏହି ଢାଞ୍ଚା ଜାତୀୟ ଶିକ୍ଷା ନୀତି (NEP) ୨୦୨୦ ଅନୁଯାୟୀ ପ୍ରସ୍ତୁତ କରାଯାଇଛି, ଯାହା ଓଡ଼ିଶାର ବିଦ୍ୟାଳୟ ଶିକ୍ଷାକୁ ଜାତୀୟ ଲକ୍ଷ୍ୟ ସହ ସମକକ୍ଷ କରିବ।

ଅଧିକ ପଢନ୍ତୁ