ଓଡିଆ ଘରର ଅନନ୍ୟ ପରମ୍ପରା ‘ଦାଣ୍ଡ ପହଁରା ଓଷା’

ଆମ ଓଡିଶାରେ ଅଧିକାଂଶ ଓଷା ସନ୍ତାନମାନଙ୍କ ମଙ୍ଗଳ କାମନା ଓ ସେମାନଙ୍କ ଦୀର୍ଘାୟୁ ନିମନ୍ତେ ନାରୀମାନେ କରିଥାଆନ୍ତି। ଏହି ଓଷା ସବୁରେ କେତେବେଳେ ଷଠୀମାତାଙ୍କୁ ପୂଜା କରାଯାଏ ତ କେତେବେଳେ ଯମ ଦେବତାଙ୍କୁ। ଦୀର୍ଘ ଓ ଧାର୍ମିକ ଜୀବନ ବଞ୍ଚିବା ପାଇଁ ଏହି ଦେବତାଙ୍କୁ ସନ୍ତୁଷ୍ଟ କରିବା ଆବଶ୍ୟକ ପଡ଼ିଥାଏ। ତେଣୁ ଓଡ଼ିଶାର ଗ୍ରାମୀଣ ପରମ୍ପରାରେ ଯମଙ୍କୁ ସନ୍ତୁଷ୍ଟ କରିବାପାଇଁ ଅନେକ ଲୋକପର୍ବ, ଓଷାବ୍ରତ ଆଦି ପାଳନ କରାଯାଇଥାଏ। ସେଥି ମଧ୍ୟରୁ ଗୋଟିଏ ହେଉଛି ‘ବାଟ ଓଷା’ ବା ‘ଦାଣ୍ଡ ପହଁରା ଓଷା’। ଏହି ଓଷା ବାଟ ବା ଦାଣ୍ଡରେ ପାଳିତ ହେଉଥିବାରୁ, ଏପରି ନାମକରଣ ହୋଇଛି। ପଣ୍ଡୁପୂର୍ଣ୍ଣିମା ଯିବାର ତିନିଦିନ, ସାତଦିନ ବା ନଅଦିନରେ ଏହି ଓଷା ପଡ଼େ। ପ୍ରତ୍ୟେକ ମାଆମାନେ ନିଜ ସନ୍ତାନ ଦୀର୍ଘାୟୁ ହେବା ନିମନ୍ତେ ରାତିରେ ଉପବାସ ରହି ବଜ୍ରମୂଳି ଗଛରେ ଦାଣ୍ଡ ପହଁରି ନିଜ ନିଜର ସନ୍ତାନମାନଙ୍କୁ ଝାଡ଼ିଥାନ୍ତି । କୁହାଯାଏ ଇନ୍ଦ୍ରଙ୍କର ଅମୋଘ ଅସ୍ତ୍ର ହେଉଛି ବଜ୍ର ।ଆଉ ସେଥିପାଇଁ ପ୍ରବାଦ ଅଛି ମା’ମାନେ ନିଜ ସନ୍ତାନର ଦୀର୍ଘଜୀବନ କାମନା କରି ଓଷା ମଣ୍ଡପର ଚାରିପାଖକୁ ବଜ୍ରମୂଳିରେ ପହଁରିବା ପରେ ସେଥିରେ ସନ୍ତାନମାନଙ୍କୁ ଝାଡ଼ିଥାନ୍ତି । ଯମ ଯନ୍ତ୍ରଣାରୁ ରକ୍ଷା କରିବା ଏବଂ ଯମଙ୍କୁ ପ୍ରସନ୍ନ କରିବା ଉଦ୍ଦେଶ୍ୟରେ ବାଟ ଓଷା ବା ଦାଣ୍ଡ ପହଁରା ଓଷାର ସୃଷ୍ଟି ।ବ୍ରତକଥା ଅନୁସାରେ କୋଶଳ ଦେଶର ଅପୁତ୍ରକ ରାଣୀ ଏହି ଓଷା କରିବାରୁ ତାଙ୍କର ପୁତ୍ର ପ୍ରାପ୍ତି ହେଲା। ଅଥଚ ପୁତ୍ର ପ୍ରାପ୍ତି ପରେ ରାଣୀ ଏହି ଓଷା ନକରିବାରୁ ରାଣୀଙ୍କୁ ଦଣ୍ଡ ଦେବାପାଇଁ ଯମ ତାଙ୍କର ପୁତ୍ରକୁ ଅପହରଣ କରିନେଲେ। ରାଣୀ ନିଜର ଭୁଲ୍ ବୁଝିପାରି ପୁଣି ଓଷା କରିବାରୁ ନିଜ ପୁଅକୁ ଫେରିପାଇଲେ।

କେବଳ ପୁତ୍ର ପ୍ରାପ୍ତି ନୁହେଁ; ଏହି ଓଷା ନିଷ୍ଠାର ସହିତ କଲେ ନିର୍ଦ୍ଧନ ଧନବାନ ହୋଇ ସୁଖରେ କାଳାତିପାତ କରେ ବୋଲି ମଧ୍ୟ ବ୍ରତକଥାରେ ଉଲ୍ଲେଖ ଅଛି ।

ଅଧିକ ପଢନ୍ତୁ