ମହାନ ଜ୍ୟୋତିର୍ବିଜ୍ଞାନୀ ତଥା ସିଦ୍ଧାନ୍ତ ଦର୍ପଣର ରଚୟିତା ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ରଙ୍କ ଜୟନ୍ତୀ। ୧୮୩୫ ମସିହା ଡିସେମ୍ବର ୧୩ତାରିଖରେ ନୟାଗଡ଼ର ଖଣ୍ଡପଡ଼ା ରାଜବଂଶରେ ପଠାଣି ସାମନ୍ତ ଜନ୍ମଗ୍ରହଣ କରିଥିଲେ । ଖଣ୍ଡପଡ଼ା ନିକଟସ୍ଥ ଖୁଣ୍ଟୁପଡ଼ା ଗ୍ରାମସ୍ଥିତ ମହାଦେବ ଚନ୍ଦ୍ରଶେଖରଙ୍କ ପ୍ରସାଦରୁ ସେ ଜନ୍ମନେଇଥିବା ବିଶ୍ୱାସ କରି ପିତାମାତା ତାଙ୍କର ନାମ ଚନ୍ଦ୍ରଶେଖର ରଖିଥିଲେ । ତାଙ୍କ ଆଗରୁ ଦୁଇଟି ଝିଅ ଓ ଗୋଟିଏ ପୁଅ ମରିଯାଇଥିବାରୁ ସେମାନେ ତାଙ୍କର ଅପର୍ତ୍ତ୍ୟାଣି ନାମ ପଠାଣି ରଖିଥିଲେ । ସେ ଗୁରୁ କୃତ୍ତିବାସ ରଥଙ୍କଠାରୁ ବାଲ୍ୟଶିକ୍ଷା ଓ ଗୁରୁ ପଣ୍ଡିତ ଆନନ୍ଦ ଖାଡ଼ଙ୍ଗାଙ୍କଠାରୁ ସଂସ୍କୃତ ଶିକ୍ଷାଲାଭ କରିଥିଲେ । ତାଙ୍କ ବାପା ସେହି ସମୟରେ ଜଣେ ପ୍ରଧାନ ଗାଣିତିକ ଓ ଜ୍ୟୋତିଷ ଥିଲେ ଓ ସେ ବାପାଙ୍କଠାରୁ ଶାସ୍ତ୍ର ଆଲୋଚନା ମାଧ୍ୟମରେ ଶିକ୍ଷାଲାଭ କରିଥିଲେ । ସେ ପୁରାତନ ଜ୍ୟୋତିଷ ଶାସ୍ତ୍ରମାନ ଅଧ୍ୟୟନ କରି ତାରା ଜଗତର ଗତିବିଧି ଅନୁଧ୍ୟାନ କରିବା ସହ ସୂକ୍ଷ୍ମ ଯନ୍ତ୍ରମାନ ଉଦ୍ଭାବନ କରିଥିଲେ । ଦୁଇଗୋଟି ବାଉଁଶନଳୀ ସାହାଯ୍ୟରେ ଦୂରଦୂରାନ୍ତର ଗ୍ରହ ମଣ୍ଡଳର ନକ୍ଷତ୍ରମାନଙ୍କର ଗତି ଅବଲୋକନ କରି ସେ ଉପନୀତ ହୋଇଥିବା ସିଦ୍ଧାନ୍ତ ପୁରାତନ ସଂସ୍କୃତ ଜ୍ୟୋତିଷ ଶାସ୍ତ୍ରର ସିଦ୍ଧାନ୍ତ ସହିତ ଅନେକାଂରେ ଅସମାନ ଥିଲା । ତାଙ୍କର ସିଦ୍ଧାନ୍ତରୁ ପ୍ରମାଣିତ ହେଲା ଯେ ପୁରାତନ ଭାରତୀୟ ଜ୍ୟୋତିର୍ବିଦମାନଙ୍କ ଗଣନା ଦିବସରୁ ନକ୍ଷତ୍ର ଜଗତର ସ୍ଥିତି ଗତିର ବଦଳିଯାଇଛି । ତାଙ୍କ ନୂତନ ମୌଳିକ ଗଣନା ଅନୁଯାୟୀ ସେ ସିଦ୍ଧାନ୍ତ ଦର୍ପଣ ପୋଥି ରଚନା କରିଥିଲେ।ଲୋକମୁଖରେ କଥିତ ରହିଛି ଯେ ନିଜର ଜାତକ ଗଣନା କରି ନିଜର ମୃତ୍ୟୁ ସମୟ ବହୁ ପୂର୍ବରୁ ଜାଣିପାରି ଅନ୍ତିମ କାଳରେ ସେ ପୁରୀରେ ଅବସ୍ଥାନ କରୁଥିଲେ । ସେଠାରେ ୧୯୦୪ ଜୁନ ୧୧ରେ ତାଙ୍କର ଦେହାନ୍ତ ହୋଇଥିଲା ।
