ସ୍ୱଦେଶୀ ଜ୍ଞାନକୌଶରେ ନିର୍ମିତ ଲଙ୍ଗରେଞ୍ଜ କୁଶ ମିସାଇଲର ସଫଳ ପରୀକ୍ଷଣ । ଓଡିଶାର ଏପିଜେ ଅବଦୁଲ କଲାମ ଦ୍ୱୀପରୁ DRDO ପକ୍ଷରୁ ଲଂଗରେଂଜ ଏୟାର ଡିଫେନ୍ସ ମିସାଇଲ ‘କୁଶ’ର ପ୍ରଥମ ଉଡ଼ାଣ ସଫଳତାର ପରୀକ୍ଷଣ ହୋଇଛି। ଏହି ପରୀକ୍ଷଣରେ ମିସାଇଲଟି ଏକ ଦ୍ରୁତଗାମୀ ଏବଂ ବହୁ ଉଚ୍ଚତାରେ ଥିବା ଟାର୍ଗେଟକୁ ସଠିକ୍ ଭାବେ ଧ୍ୱଂସ କରିଛି।ଡିଆରଡିଓ ସୂଚନା ଅନୁସାରେ, ‘କୁଶା’ କ୍ଷେପଣାସ୍ତ୍ର ପ୍ରଣାଳୀ ଯୁଦ୍ଧ ବିମାନ, ବିଭିନ୍ନ ପ୍ରକାରର କ୍ଷେପଣାସ୍ତ୍ର, ମାନବବିହୀନ ବିମାନ (UAV) ଏବଂ ବଡ଼ ଆକାଶମାର୍ଗୀୟ ବିପଦ ସମେତ ବିଭିନ୍ନ ପ୍ରକାରର ଶତ୍ରୁ ଲକ୍ଷ୍ୟକୁ ଦୀର୍ଘ ଦୂରତା ଓ ବିଭିନ୍ନ ଉଚ୍ଚତାରେ ଚିହ୍ନଟ କରି ନିଷ୍କ୍ରିୟ କରିବାରେ ସକ୍ଷମ। ଏହି ଅତ୍ୟାଧୁନିକ ଅସ୍ତ୍ର ପ୍ରଣାଳୀର କ୍ଷେପଣାସ୍ତ୍ର, ରାଡାର, କମାଣ୍ଡ ଏବଂ କଣ୍ଟ୍ରୋଲ ସେଣ୍ଟର ସମେତ ସମସ୍ତ ଉପାଦାନ ଡିଆରଡିଓର ବିଭିନ୍ନ ପରୀକ୍ଷାଗାର ଓ ଦେଶୀୟ ଶିଳ୍ପ ସଂସ୍ଥାଙ୍କ ସହଯୋଗରେ ବିକଶିତ କରାଯାଇଛି।କୁଶ ମିସାଇଲକୁ ଋଷର S-400 ଏବଂ ଆମେରିକାର ପାଟ୍ରିଅଟ୍ ଏୟାର ଡିଫେନ୍ସ ସିଷ୍ଟମ ସହ ତୁଳନା କରାଯାଉଛି। ଭାରତୀୟ ବାୟୁସେନା ପାଇଁ ପ୍ରାୟ ୨୧ ହଜାର ୭ ଶହ କୋଟି ଟଙ୍କା ବ୍ୟୟରେ ଏଭଳି ୫ଟି ସ୍କ୍ୱାଡ୍ରନ ପ୍ରସ୍ତୁତ କରାଯାଉଛି। ୨୦୩୫ ସୁଦ୍ଧା ଏହି ମିସାଇଲ ଭାରତକୁ ଏକ ଅଭେଦ୍ୟ ସୁରକ୍ଷା କବଚ ପ୍ରଦାନ କରିବ। ଏହି ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆରଡିଓକୁ ଅଭିନନ୍ଦନ ଜଣାଇଛନ୍ତି।
