ବଲିଉଡ୍ର ପ୍ରସିଦ୍ଧ ପ୍ରଚ୍ଛଦପଟ୍ଟ ଗାୟକ କୁମାର ସାନୁ ପୂର୍ବ ପତ୍ନୀ ରିତା ଭଟ୍ଟାଚାର୍ଯ୍ୟଙ୍କ ବିରୋଧରେ ବମ୍ବେ ହାଇକୋର୍ଟରେ ମାନହାନି ମକଦ୍ଦମା କରିଛନ୍ତି । ଏ ମାମଲାରେ ସେ ପତ୍ନୀଙ୍କଠୁ ୫୦ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି । ଏଥିସହିତ ତାଙ୍କର ସାକ୍ଷାତକାରକୁ ହଟାଇବାକୁ ଦାବି କରିଛନ୍ତି, ଯେଉଁଥିରେ ରିତା ସାନୁଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ କରିଛନ୍ତି । ଉଭୟଙ୍କ ଛାଡ଼ପତ୍ରର ପ୍ରାୟ ୨୪ ବର୍ଷ ପରେ ମାମଲା ସାମ୍ନାକୁ ଆସିଛି । ସେପ୍ଟେମ୍ବର ୨୦୨୫ରେ ରୀତାଙ୍କ ସାକ୍ଷାତକାର ପରେ ସାନୁ ଏହି ପଦକ୍ଷେପ ନେଇଛନ୍ତି । ଏହି ସାକ୍ଷାତକାରରେ ରୀତା ତାଙ୍କର ମର୍ଯ୍ୟାଦା ହାନି ହେଲା ଭଳି କଥା କହିଥିଲେ । ସେ ଗର୍ଭବତୀ ଥିଲା ବେଳେ ସାନୁ ତାଙ୍କୁ ଭୋକିଲା ରଖୁଥିଲେ । ଏମିତିକି ରୋଷେଇ ଘରେ ତାଲା ପକାଇ ଦେଉଥିଲେ । ତାଙ୍କ ଚିକିତ୍ସା ବ୍ୟବସ୍ଥା କରୁ ନଥିଲେ କି କ୍ଷୀର ଟିକେ ପିଇବାକୁ ଦେଉ ନଥିଲେ । ବିଭିନ୍ନ ମହିଳାଙ୍କ ସହ ସମ୍ପର୍କ ରଖି ସାନୁ ତାଙ୍କ ଠାରୁ ଦୂରେଇ ରହୁଥିଲେ ବୋଲି ରୀତା ଏକ ଘରୋଇ ମିଡିଆ ପ୍ଲାଟ୍ଫର୍ମରେ କହିଥିଲେ ।
ସାନୁ ବମ୍ବେ ହାଇକୋର୍ଟର ତାଙ୍କ ଆବେଦନରେ କହିଛନ୍ତି ଯେ ୨୦୦୧ରେ ଛାଡପତ୍ର ସମୟରେ ହୋଇଥିବା ସମ୍ମତି ସର୍ତ୍ତାବଳି ଅନୁଯାୟୀ କେହି କାହା ବିରୋଧରେ କୌଣସି ଅଭିଯୋଗ ଆଣିବେ ନାହିଁ । ଏହାକୁ ରୀତା ଭଙ୍ଗ କରିଥିବା ସେ ଅଭିଯୋଗ କରିଛନ୍ତି ।ଏ ନେଇ ଗତ ସେପ୍ଟେମ୍ବର ୨୭ରେ ସମ୍ବନ୍ଧିତ ମିଡିଆ ପ୍ଲାଟ୍ଫର୍ମକୁ କୋର୍ଟ ନୋଟିସ୍ ପଠାଯାଇଥିଲା । ଏଥିରେ କୁହାଯାଇଥିଲା ଯେ ସାକ୍ଷାତକାର ହଟାନଗଲେ, ଅପରାଧିକ କାର୍ଯ୍ୟାନୁଷ୍ଠାନ ନିଆଯିବ ।
