ଆଜିଠାରୁ ବରଗଡ ଧନୁଯାତ୍ରା ଆରମ୍ଭ । ଧନୁଯାତ୍ରାର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ଆଜିଠାରୁ ବରଗଡ ଧନୁଯାତ୍ରା ଆରମ୍ଭ । ଏହି ଯାତ୍ରା ୧୧ ଦିନ ଧରି ଚାଲିବ । ବରଗଡ ପାଲଟିବ ମଥୁରା ଓ ଅମ୍ବାପଲ୍ଲୀ ପାଲଟିବ ଗୋପପୁର। ମଝିରେ ଥିବା ଜିରା ନଦୀରେ ଚାଲିବ ଯମୁନାର ରାସ । ଆଜି ଅପରାହ୍ନ ୨ଟାରୁ ବାହାରିବ ସାଂସ୍କୃତିକ ଶୋଭାଯାତ୍ରା । ସଂଧ୍ୟା ୭ଟାରେ ହାଟପଦା ସ୍ଥିତ ରାଜ ଦରବାରରେ ଧନୁଯାତ୍ରା ମହୋତ୍ସବର ଶୁଭାରମ୍ଭ ହେବ । ଏହା ପରେ ଧନୁଯାତ୍ରାର ପ୍ରଥମ ଦୃଶ୍ୟ ରାମଜୀ ମନ୍ଦିରରେ ଦେବକୀ ଓ ବସୁଦେବଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ ।ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବରଗଡ଼ ଧନୁଯାତ୍ରା ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏପରିକି ଧନୁଯାତ୍ରାର ସଫଳ ଆୟୋଜନ ପାଇଁ ରାଷ୍ଟ୍ରପତି କାମନା କରିଛନ୍ତି। ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ମହାମହିମ ଲେଖିଛନ୍ତି ‘ବରଗଡ଼ର ସୁପ୍ରସିଦ୍ଧ ଧନୁଯାତ୍ରାର ଶୁଭ ଅବସରରେ ମୁଁ ଦେଶବାସୀଙ୍କୁ, ବିଶେଷକରି ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ବିଶାଳ ମୁକ୍ତାକାଶ ରଙ୍ଗମଞ୍ଚର ଅନନ୍ୟ ପରମ୍ପରା ଏହି ମହୋତ୍ସବକୁ ଦେଶବିଦେଶରେ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଛି । ମୁଁ ଆଶା କରୁଛି, ପୌରାଣିକ କଥାବସ୍ତୁର ଜୀବନ ଉପସ୍ଥାପନା ମାଧ୍ୟମରେ ସମାଜରେ ଆଧ୍ୟାତ୍ମିକ ଚେତନା ଓ ସାଂସ୍କୃତିକ ଗୌରବ ଆହୁରି ପରିପୁଷ୍ଟ ହେବ । ମୁଁ ଏହି ବର୍ଣ୍ଣାଜ୍ୟ ଯାତ୍ରାର ସଫଳ ଆୟୋଜନ ନିମନ୍ତେ ଶୁଭେଛା ଜଣାଉଛି ‘।

ଅଧିକ ପଢନ୍ତୁ