ବାଲେଶ୍ୱର ଜିଲ୍ଲା ବାହାନଗା ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରରେ ପେଟି ପେଟି ଔଷଧକୁ ଫିଙ୍ଗିଦେଲେ, ପୋଡ଼ି ଦେଲେ। ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ପଡ଼ିଛି ଓ ପୋଡ଼ାଯାଇଛି ଅନେକ ଏକ୍ସପାରି ଔଷଧ ଓ ରକ୍ତ ପରୀକ୍ଷା କିଟ୍ । ବାହାନଗା ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ପରିସରରେ ଅଳିଆ ପକାଇବା ସ୍ଥାନରେ ପେଟିପେଟି ଔଷଧକୁ ରୋଗୀଙ୍କୁ ଦିଆନଯାଇ ନଷ୍ଟ କରାଯାଇଛି । ବିଭିନ୍ନ ରୋଗ ପାଇଁ ସରକାରଙ୍କ ନିରାମୟ ଯୋଜନାରେ ଆସିଥିବା ଔଷଧ ଏବଂ ସିରାପ, ମଲମ, ଇଞ୍ଜେକ୍ସନ ଆଦି ରୋଗୀଙ୍କୁ ଦିଆଯିବା ପରିବର୍ତ୍ତେ ଫିଙ୍ଗା ଯାଇଛି । ଏଭଳି ଘଟଣା ସାମ୍ନାକୁ ଆସିବା ସ୍ଥାନୀୟ ଲୋକ ପ୍ରତିନିଧି ଓ ଅଂଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।ତେବେ ଏହି ଘଟଣାରେ ତଦନ୍ତ ଆରମ୍ଭ ହୋଇଛି । ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ପ୍ରଭାତ ବେହେରାଙ୍କ ନିର୍ଦ୍ଦେଶରେ ବହାନଗା ମେଡିକାଲରେ ୬ଜଣିଆ ଟିମ୍ ତଦନ୍ତ ଆରମ୍ଭ କରିଥିବା ମେଡିକାଲ ସୁପରିଟେଣ୍ଡଣ୍ଟ ଧୀରେସ ଷଡଙ୍ଗୀ ସୂଚନା ଦେଇଛନ୍ତି । ମେଡିସିନ ପୋଡାଯିବା ଏବଂ ଫିଙ୍ଗିବା ଘଟଣା ସତ୍ୟ, ଏହାର ତଦନ୍ତ ଚାଲିଛି, ତଦନ୍ତ ପରେ ଯିଏ ଦୋଷୀ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦେଇଛନ୍ତି ।
