ଦାନରେ ନୁହେଁ ବରଂ ଶକ୍ତି ବଳରେ ସ୍ବାଧୀନତା ପାଇବାର ଅଟଳ ଜିଦ୍ ଦେଶବାସୀଙ୍କ ମଧ୍ୟରେ ଜାତୀୟତାବାଦର ଚେତନାକୁ ଜାଗ୍ରତ କରିଥିଲା। ସେ ଥିଲେ ମହାନ ଜନନାୟକ ତଥା ସ୍ବାଧୀନତା ସଂଗ୍ରାମର ବାଜିଗର ନେତାଜୀ ସୁଭାଷ ଚନ୍ଦ୍ର ବୋଷ। “ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି” ଏହା ଥିଲା ‘ଆଜାଦ୍ ହିନ୍ଦ୍ ଫୌଜ୍’ ଉଦ୍ଦେଶ୍ୟରେ ସୁଭାଷ ବୋଷଙ୍କ ସେହି ନାରା, ଯାହାକୁ ଅନୁସରଣ କରି କୋଟି କୋଟି ସ୍ୱାଧୀନତା ସଂଗ୍ରମୀ ସ୍ୱାଧୀନତା ଲଢ଼େଇରେ ଲମ୍ଫପ୍ରଦାନ କରିଥିଲେ।୧୮୯୭ ଜାନୁଆରି ୨୩ ତାରିଖରେ ଜାନକୀ ନାଥ ଦାସ ଓ ପ୍ରଭାବତୀ ଦେବୀଙ୍କ ନବମ ସନ୍ତାନ ଭାବେ କଟକ ଠାରେ ସୁଭାଷ ଜନ୍ମ ନେଇଥିଲେ। ରେଭେନ୍ସା କଲିଜିଏଟ୍ ସ୍କୁଲରେ ପଢ଼ି ସେ ମାଟ୍ରିକ୍ ପରୀକ୍ଷାରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ। ଛାତ୍ର ଜୀବନରେ ସ୍ବାମୀ ବିବେକାନନ୍ଦଙ୍କ ଆଦର୍ଶ ତାଙ୍କୁ ଅନୁପ୍ରାଣିତ କରିଥିଲା। ୧୯୨୦ ମସିହା ଆଇସିଏସ୍ ପରୀକ୍ଷାରେ ସେ ସର୍ବଭାରତୀୟ ସ୍ତରରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ। ପରେ ବ୍ରିଟିସ୍ଙ୍କ ଅତ୍ୟାଚାର ଦେଖି ସେ ସରକାରୀ ଚାକିରି ଛାଡ଼ିଦେଇଥିଲେ। ମହାତ୍ମା ଗାନ୍ଧୀଙ୍କ ଦ୍ବାରା ପ୍ରଭାବିତ ହୋଇ ପ୍ରଥମେ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ। ସେ ୧୯୩୮ରେ ଜାତୀୟ କଂଗ୍ରେସର ସଭାପତି ନିର୍ବାଚିତ ହୋଇଥିଲେ।ଗାନ୍ଧୀ ଓ ନେହରୁଙ୍କ ସହ ଅସହମତି କାରଣରୁ ୧୯୩୯ରେ କଂଗ୍ରେସରୁ ଇସ୍ତଫା ଦେଇ ସୁଭାଷ ଫରଵାର୍ଡ ବ୍ଲକ୍ ନାମକ ଦଳ ଗଠନ କରିଥିଲେ। ଦ୍ବିତୀୟ ବିଶ୍ବଯୁଦ୍ଧରେ ଭାରତୀୟ ସମ୍ବଳ ଓ ସୈନିକଙ୍କ ନିୟୋଜନ ବିରୋଧରେ ସେ ଗଣଆନ୍ଦୋଳନ ସଂଗଠିତ କରିଥିଲେ। ଏଥିପାଇଁ ତାଙ୍କୁ ଗୃହବନ୍ଦୀ ରଖାଯାଇଥିଲା। ୧୯୪୧ରେ ଗୃହବନ୍ଦୀରୁ ଖସିଯାଇ ସୁଭାଷ ଭାରତୀୟ ସ୍ବାଧୀନତା ଲଢ଼େଇକୁ ସରହଦ ପାର ନେଇଯାଇଥିଲେ। ପ୍ରଥମେ ଜର୍ମାନୀ ପହଞ୍ଚି ରେଡିଓରେ ଭାରତୀୟଙ୍କୁ ଉଦ୍ବୋଧନ କରୁଥିଲେ। ସେଠାରୁ ସିଙ୍ଗାପୁର ଯାଇ ମୁଖ୍ୟତଃ ଭାରତୀୟ ଯୁଦ୍ଧ ବନ୍ଦୀଙ୍କୁ ନେଇ ଆଜାଦ ହିନ୍ଦ ଫୌଜ ଗଠନ କରିଥିଲେ। ତାଙ୍କର ପ୍ରସିଦ୍ଧି ଓ ଲୋକପ୍ରିୟତା ଭାରତର ସୀମା ଅତିକ୍ରମ କରିଯାଇଥିଲା। ସେଥିପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ ଦେଶର ମୁଖ୍ୟମାନେ ତାଙ୍କ ସମର୍ଥନରେ ଛିଡ଼ା ହୋଇଥିଲେ। ବ୍ରିଟିସ୍ ଶାସକଙ୍କ ସହ ଯୁଦ୍ଧ ପାଇଁ ଆଜାଦ ହିନ୍ଦ ଫୌଜ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। କୁହାଯାଏ ୧୯୪୫ ଅଗଷ୍ଟ ୧୮ରେ ତାଇୱାନର ତାଇହୋକୁ ବିମାନ ବନ୍ଦରରେ ଏକ ବିମାନ ଦୁର୍ଘଟଣାରେ ନେତାଜୀଙ୍କର ମୃତ୍ୟୁ ଘଟିଥିଲା । ଜାପାନ ସରକାରଙ୍କ ରିପୋର୍ଟ ଅନୁସାରେ, ସେହି ଦୁର୍ଘଟଣାରେ ସେ ଗୁରୁତର ଭାବେ ପୋଡ଼ି ଯାଇଥିଲେ ଏବଂ ଏକ ସାମରିକ ଚିକିତ୍ସାଳୟରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ଅସ୍ଥି ଭସ୍ମ ଜାପାନର ରେଙ୍କୋଜି ମନ୍ଦିରରେ ରଖାଯାଇଥିବା କୁହାଯାଏ । କିନ୍ତୁ ଭାରତର ଅଗଣିତ ଜନତା ଏବଂ ନେତାଜୀଙ୍କ ପରିବାରର ଅନେକ ସଦସ୍ୟ ଏହି ତଥ୍ୟକୁ ସହଜରେ ଗ୍ରହଣ କରିପାରି ନଥିଲେ ।
