ଖଣ୍ଡଗିରି କୁମ୍ଭମେଳାରେ ନିଜ ନିଜ ଅସ୍ଥାୟୀ ମଠରେ ହୋମଯଜ୍ଞ କରିବାକୁ ପ୍ରସ୍ତୁତ ଆରମ୍ଭ କରିଲେଣି ସାଧୁସନ୍ଥ ଗଣ । ପ୍ରାରମ୍ଭିକ ପୂଜାପାଠ ସହ ଅନ୍ୟାନ୍ୟ ବିଧି ଆରମ୍ଭ କରିଛନ୍ତି । ପବିତ୍ର ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ଼ ପକାଇବା ପରେ ସାଧୁସନ୍ଥଙ୍କ ଆଗମନ ଆହୁରି ବୃଦ୍ଧି ପାଇବ । ରାଜ୍ୟ ତଥା ରାଜ୍ୟ ବାହାରୁ ୫୦୦ରୁ ଅଧିକ ସାଧୁସନ୍ଥ ଆସିବେ ବୋଲି ଆକଳନ କରାଯାଇଛି ।ଏହି ଖଣ୍ଡଗିରି ମେଳାରେ ନାଗା ସନ୍ନ୍ୟାସୀଙ୍କଠାରୁ ଆରମ୍ଭ କରି ଦଶନାମୀ, ବୈଷ୍ଣବ ଚାରି ସମ୍ପ୍ରଦାୟ, ଓଡ଼ିଶାର ପଞ୍ଚସଖା ସମ୍ପ୍ରଦାୟ, ଗୌଡ଼ିୟ, ବେଦପତି ଓ ସନ୍ନ୍ୟାସିନୀଙ୍କ ଧୀରେ ଧୀରେ ସମାଗମ ହେଉଛି । ମାଘ ସପ୍ତମୀରେ ଖଣ୍ଡଗିରି- ଉଦୟଗିରି ପାଦ ଦେଶରେ ହେଉଥିବା କୁମ୍ଭମେଳା, ଖଣ୍ଡଗିରି ମେଳା ନାମରେ ପରିଚିତ । ଭୁବନେଶ୍ୱର ଉପକଣ୍ଠ ଖଣ୍ଡଗିରିଠାରେ ଆବାହମାନ କାଳରୁ ହୋଇଆସୁଥିବା ପ୍ରସିଦ୍ଧ କୁମ୍ଭମେଳା ୭ ଦିନ ଧରି ଚାଲି ମାଘ ପୂର୍ଣ୍ଣିମା ଦିନ ପୂର୍ଣ୍ଣାହୁତୀ ଦିଆଯାଇଥାଏ । ଏହି ଅବସରରେ ସାଧୁସନ୍ଥଙ୍କ ସମାବେଶ ସହ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ । ଏକାମ୍ର କାନନ ଭୁବନେଶ୍ୱରରେ ଖଣ୍ଡଗିରି ଥିଲା ତପୋଭୂମି ଭାବେ ପରିଚିତ । ଯୋଗନଦୀ (ଏବେ ବିଲୁପ୍ତ) କୂଳରେ ମୁନିଋଷିମାନଙ୍କ ଗହଣରେ ରହୁଥିବା ଏମିତି ବହୁ ବନ୍ୟପ୍ରାଣୀଙ୍କ ଭିତରେ ସ୍ନେହ ବନ୍ଧନର ଭାବ ରହି ଆସିଥିଲା । ଏକାଦିକ୍ରମେ ଏହି ପୀଠ ଶକ୍ତିପୀଠ ଓ ଜୈନପୀଠଭାବେ ପରିଚିତି ଲାଭ କରିଥିଲା । ଏଠି ମା’ ବାରଭୂଜାଙ୍କ ପୂଜାର୍ଚ୍ଚନା ସହ ଜୈନ ଉପାସକମାନଙ୍କ ପୂଜା ବି ଅନୁଷ୍ଠିତ କରାଯାଉଥିଲା । ତେଣୁ କୁହାଯାଏ ଜୈନ ଉପାସକ ହେଲେ ବି ତତ୍କାଳୀନ କଳିଙ୍ଗ ସମ୍ରାଟ କରକନ୍ଦୁ ଏବଂ ପରେ ମହାମେଘବାହାନ ଐର ଖାରବେଳ ସାଧୁସନ୍ଥମାନଙ୍କ ପାଇଁ ଉଦୟଗିରି ପାହାଡ଼ରେ ବିଭିନ୍ନ ଗୁମ୍ଫା ନିର୍ମାଣ କରାଇଥିଲେ ଏବଂ ସେମାନଙ୍କ ରାଜତ୍ୱ କାଳରୁ ହିଁ ଏହି କୁମ୍ଭମେଳାର ଆକର୍ଷଣ ବଢ଼ି ଚାଲିଥିଲା । ମେଳା ସମୟରେ ସାଧୁସନ୍ଥମାନେ ପାହାଡ ଗୁମ୍ଫାରେ ରହି ଭଜନ କୀର୍ତ୍ତନ କରିଥାନ୍ତି । ଅଖଣ୍ଡ ଧ୍ୱନୀ ଜାଳି ସାଧୁସନ୍ଥମାନେ ତପସ୍ୟାରତ ରହିଥାନ୍ତି । ମାଘ ସପ୍ତମୀ ଦିନ ବୁଡ଼ ପକାଇ ସୂର୍ଯ୍ୟଙ୍କୁ ପ୍ରାତଃ ଦର୍ଶନ କରିଥାନ୍ତି ।
