ଦେଶରେ ଉଚ୍ଚଶିକ୍ଷା ବ୍ୟବସ୍ଥା ସହ ସମ୍ପର୍କିତ ନୂଆ ନିୟମ ଲାଗୁ ହୋଇଛି । ଏହାକୁ ନେଇ ଏବେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି । ଶିକ୍ଷାନୁଷ୍ଠାନଗୁଡ଼ିକରେ ଜାତିଗତ ଭେଦଭାବ ରୋକିବା ଓ ସମାନତାକୁ ପ୍ରତ୍ସୋହନ ଦେବା ଉଦ୍ଦେଶ୍ୟରେ ଅଣାଯାଇଥିବା ନୂଆ ନିୟମକୁ ନେଇ ତୀବ୍ର ଆଲୋଚନା ହେଉଛି । ନୂଆଦିଲ୍ଲୀସ୍ଥିତ ୟୁଜିସି ମୁଖ୍ୟାଳୟ ବାହାରେ ସୁରକ୍ଷା ବୃଦ୍ଧି କରାଯାଇଛି। ବିକ୍ଷୋଭକାରୀଙ୍କୁ କ୍ୟାମ୍ପସ ଭିତରକୁ ନ ଛାଡ଼ିବା ପାଇଁ ବହୁ ସଂଖ୍ୟକ ବ୍ୟାରିକେଡ୍ ଲଗାଯାଇଛି।ଲକ୍ଷ୍ନୌ, ରାୟବରେଲି, ବାରାଣସୀ, ମେରଠ, ପ୍ରୟାଗରାଜ ଓ ସୀତାପୁରରେ ଛାତ୍ର, ଯୁବକ ଓ ବିଭିନ୍ନ ସଂଗଠନ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭରେ ଅଂଶଗ୍ରହଣ କରିଥିଲେ। ରାଏବରେଲିରେ ବିଜେପି କୃଷକ ନେତା ରମେଶ ବାହାଦୂର ସିଂହ ଓ ଗୋରକ୍ଷା ଦଳର ସଭାପତି ମହେନ୍ଦ୍ର ପାଣ୍ଡେ ଉଚ୍ଚଜାତିର ସାଂସଦଙ୍କ ନିକଟକୁ ଚୁଡ଼ି ପଠାଇଛନ୍ତି। ୟୁପି ବରେଲିର ସିଟି ମାଜିଷ୍ଟ୍ରେଟ୍ ଅଲଙ୍କାର ଅଗ୍ନିହୋତ୍ରୀ ଏହି ନୂଆ ନିୟମକୁ ବିରୋଧ କରି ଇସ୍ତଫା ଦେଇଛନ୍ତି। ତେବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସରକାରଙ୍କ ଅଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ନ୍ୟୁଜ୍ ଏଜେନ୍ସି ଏଏନଆଇକୁ ପ୍ରତିକ୍ରିୟା ଦେଇ ଲୋକଙ୍କ ପ୍ରଶ୍ନର ବିନମ୍ରତା ସହ ଜବାବ ଦେଇଛନ୍ତି । ସେ କହିଛନ୍ତି, ‘ମୁଁ ଅତ୍ୟନ୍ତ ବିନମ୍ରତା ସହ ଭରସା ଦେବାକୁ ଚାହୁଁଛି ଯେ କାହାର ଉତ୍ପୀଡ଼ନ ହେବାକୁ ଦିଆଯିବ ନାହିଁ । ଡିସ୍କ୍ରିମିନେସନ (ଭେଦଭାବ) ନାଁରେ କାହାକୁ ବି ଆଇନର ଦୁରୁପଯୋଗ କରିବାର ଅଧିକାର ରହିବ ନାହିଁ ।’
କେନ୍ଦ୍ରମନ୍ତ୍ରୀ ଜୋର ଦେଇ କହିଛନ୍ତି, ‘ୟୁଜିସି ହେଉ, ଭାରତ ସରକାର ହୁଅନ୍ତୁ କିମ୍ୱା ରାଜ୍ୟ ସରକାର, ଆଇନର ନିରପେକ୍ଷ ପାଳନ ସମସ୍ତଙ୍କ ସାମୁହିକ ଦାୟିତ୍ୱ ।’ ସେ ସ୍ପଷ୍ଟ କହିଛନ୍ତି ଯେ ଯାହା ମଧ୍ୟ ବ୍ୟବସ୍ଥା କରାଯାଇଛି, ତାହା ସମ୍ପୂର୍ଣ୍ଣ ରୂପେ ଭାରତୀୟ ସମ୍ୱିଧାନର ପରିଧି ଭିତରେ ରହିଛି । ନିର୍ଦ୍ଦୋଷ ଛାତ୍ରମାନଙ୍କ ସମ୍ପୃକ୍ତିର ସମ୍ଭାବନା ବିଷୟରେ ଆଲୋଚନା କରି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ପୂରା ପ୍ରକ୍ରିୟା ନ୍ୟାୟପାଳିକାର କ୍ଷେତ୍ରାଧିକାର ମଧ୍ୟରେ । ସେ କହିଛନ୍ତି, “ଏହି ମାମଲା ସୁପ୍ରିମକୋର୍ଟଙ୍କ ତଦାରଖରେ ଏକ ବ୍ୟବସ୍ଥା । ମୁଁ ସମସ୍ତଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଁଛି ଯେ କାହାରି ଉପରେ ଅତ୍ୟାଚାର କିମ୍ବା ଭେଦଭାବ କରାଯିବ ନାହିଁ ।”
