ଜଙ୍ଗଲରେ ସୀମିତ ଥିବା କାଇ ଚଟଣୀ ଏବେ ଓଡ଼ିଶାର ବିଭିନ୍ନ ହୋଟେଲ ଓ ରେସ୍ତୋରାଁରେ

କାଇ ଚଟଣୀ..ସାଧାରଣତଃ ଓଡ଼ିଶାର ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଆଦିବାସୀ ଖାଦ୍ୟ ଭାବେ ପରିଚିତ । ଏବେ ଏହି ପାରମ୍ପରିକ ଆଦିବାସୀ ଖାଦ୍ୟ ଆଉ ଏହି ଅଞ୍ଚଳରେ ସୀମିତ ହୋଇ ନାହିଁ । ଦକ୍ଷିଣ ଓଡ଼ିଶାର ଗଜପତି ଜିଲ୍ଲାର ଗୁମା ବ୍ଲକ ଅଞ୍ଚଳରେ ରହୁଥିବା ଆଦିବାସୀ ସଂପ୍ରଦାୟ ପୀଢ଼ି ପୀଢ଼ି ଧରି କାଇ ଚଟଣୀକୁ ଏକ ପୁଷ୍ଟିକର ଖାଦ୍ୟ ଭାବେ ଖାଇ ଆସୁଛନ୍ତି । କାଇ ଚଟଣୀ ଏବେ ଓଡ଼ିଶାର ବିଭିନ୍ନ ହୋଟେଲ ଓ ରେସ୍ତୋରାଁରେ ପରଷା ଯାଉଛି । ଏହି ଆଦିବାସୀ ଖାଦ୍ୟର ପୋଷକ ତତ୍ତ୍ୱ ପର୍ଯ୍ୟଟକ ଓ ଖାଦ୍ୟପ୍ରେମୀଙ୍କୁ ଆକର୍ଷିତ କରୁଛି । ଏପଟେ ଡାକ୍ତରଙ୍କ ମତରେ ଏହା ଜିଙ୍କ୍, କ୍ୟାଲସିୟମ୍ ଓ ଭିଟାମିନ୍–ସିରେ ପରିପୂର୍ଣ । ତେବେ ଏହି ପାରମ୍ପରିକ ଆଦିବାସୀ ଖାଦ୍ୟକୁ ୨୦୨୪ରେ ଜିଓଗ୍ରାଫିକାଲ୍ ଇଣ୍ଡିକେସନ୍ (GI) ମାନ୍ୟତା ମିଳିଛି । ତେବେ ପାହାଡ଼ ଓ ଜଙ୍ଗଲ ଭିତରେ ବୁଲିବା ସମୟରେ ବିଭିନ୍ନ ଗଛରେ ଥିବା କାଇ (ନାଲି ପିମ୍ପୁଡି) ପ୍ରଥମେ ସଂଗ୍ରହ କରାଯାଏ । ପରେ ନିଆଁରେ ପକାଇ କାଇକୁ ଅଚେତ କରାଯାଏ । ତା ପରେ ପିଆଜ, ରସୁଣ, ଲୁଣ ଓ ଲଙ୍କା ପକାଇ ପଥରରେ ବାଟି ଚଟଣୀ ପ୍ରସ୍ତୁତ କରାଯାଏ ।

ଗାଁ ଲୋକଙ୍କ ବିଶ୍ୱାସ ଅନୁଯାୟୀ, କାଇ ଚଟଣି ଶରୀରକୁ ଶକ୍ତି ଦେଇଥାଏ, ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ବିଶେଷ କରି ଜଙ୍ଗଲରେ କଠିନ ପରିଶ୍ରମ କରୁଥିବା ଲୋକଙ୍କ ପାଇଁ ଖୁବ ଉପାଦେୟ ।

ଅଧିକ ପଢନ୍ତୁ