ଘରୋଇ ରନ୍ଧନ ଗ୍ୟାସ୍ (ଏଲ୍ପିଜି) ମିଳିବାରେ ଏବେ ବଡ ସମସ୍ୟା ହେଉଛି । ତିନିରୁ ଚାରିଦିନ ମଧ୍ୟରେ ମିଳୁଥିବା ଏହି ସିଲିଣ୍ଡର ଏବେ ବୁକିଂ ହେବାର ୨୦ ଦିନ ପରେ ବି ମିଳୁନି । ଏଚ୍ପି ଗ୍ୟାସ୍ରେ ଏହି ସମସ୍ୟା ୧ ମାସେ ହେଲା ଲାଗିଥିବା ବେଳେ ଏବେ ଇଣ୍ଡେନ୍ ଗ୍ୟାସ୍ରେ ବି ସମାନ ସମସ୍ୟା ଦେଖାଦେଇଛି ।୩ ମାସ ତଳୁ ଏଚ୍ପି ଗ୍ୟାସ୍ରେ ପ୍ରଥମେ ଏହି ସମସ୍ୟା ଦେଖାଦେଇଥିଲା । ତାର ସିଲିଣ୍ଡର ରିଫିଲିଂ ପ୍ଲାଣ୍ଟରେ ବୈଷୟିକ ସମସ୍ୟା ଦେଖାଦେବାରୁ ଯୋଗାଣ ପ୍ରଭାବିତ ହେଲା । ଧିରେ ଧିରେ ଏହି ସମସ୍ୟା ବଢ଼ିଲା । ତେବେ ପ୍ରାୟ ୨ ମାସ ପର୍ଯ୍ୟନ୍ତ ଏହି ସମସ୍ୟା ରହିବା ପରେ ହଠାତ୍ ସଂସ୍ଥା ପକ୍ଷରୁ ଅଡିଟ୍ ଆରମ୍ଭ ହେଲା । ଏହା ସମସ୍ୟାକୁ ଦୁଇ ଗୁଣା ବଢ଼ାଇଲା । ବୁକିଂର ୩ରୁ ୪ ଦିନରେ ମିଳୁଥିବା ଗ୍ୟାସ୍ ୧୦ରୁ ୧୨ ଦିନ ପରେ ମିଳିଲା । ଏବେ ସ୍ଥିତି ଆହୁରି ଗମ୍ଭୀର । ବୁକିଂଗୁଡ଼ିକ ବେଳକୁ ବେଳ ପିଛିଲା ଭାବେ ଗଡ଼ିଗଡ଼ି ଯାଉଥିବାରୁ ଗୋଟିଏ ଗୋଟିଏ ଏଜେନ୍ସି ପାଖରେ ୧୦ରୁ ୧୨ ହଜାର ବୁକିଂ ଡେଲିଭରି ନହୋଇ ପଡ଼ିରହିଛି । ଏଚ୍ପିର ବିଭିନ୍ନ ଏଜେନ୍ସି ପ୍ରତିଦିନ ଗୋଟିଏ ଟ୍ରକ୍ ସିଲିଣ୍ଡର ପାଉଥିବାବେଳେ ଏବେ ୩ ଦିନରେ ଗୋଟିଏ ଟ୍ରକ୍ ଆସୁଛି । ୧୫ ଦିନ ପୂର୍ବରୁ କରିଥିବା ବୁକିଂରେ ଲୋକ ସିଲିଣ୍ଡର ପାଇ ନାହାନ୍ତି । ଏଜେନ୍ସି ପାଖରେ ଥିବା ଡେଲିଭରି ବୟ ବାଧ୍ୟ ହୋଇ ଫୋନ୍ ବନ୍ଦ ରଖୁଛନ୍ତି । ଅତି ଆବଶ୍ୟକ ପଡ଼ୁଥିବାରୁ ଲୋକେ ଗ୍ୟାସ୍ ଗୋଦାମ ପାଖରେ ଯାଇ ଲାଇନ୍ ଲଗାଉଛନ୍ତି । ହୋ’ ହଲ୍ଲା ମଧ୍ୟ କରୁଛନ୍ତି । କିଛି ଏଜେନ୍ସି କାର୍ଯ୍ୟାଳୟରେ ମଧ୍ୟ ଲୋକ ପାଟିତୁଣ୍ଡ କରୁଛନ୍ତି ।ତେବେ ଏଚ୍ପି ଓ ଇଣ୍ଡେନ୍ ଗ୍ୟାସ୍ ଏଜେନ୍ସି ମାଲିକମାନେ କିନ୍ତୁ ଏହି ସମସ୍ୟା ଆହୁରି କିଛି ଦିନ ଲାଗି ରହିବ ବୋଲି ସୂଚନା ଦେଇଛନ୍ତି ।
