
ନୟାଗଡ଼,(ଓଡ଼ିଶା ଦର୍ପଣ):ଶ୍ରମକୋଡ ଉଚ୍ଛେଦ କରି ପୂର୍ବ ଶ୍ରମ ଆଇନକୁ ଲାଗୁକରିବା, ସର୍ବନିମ୍ନ ମଜୁରୀ ମାସିକ ୨୬ହଜାର ଟଙ୍କା ଧାର୍ଯ୍ୟ କରିବା, ସ୍କିମ ଶ୍ରମିକଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରିବା, ଜନବିରୋଧୀ ବିଦ୍ୟୁତ ବିଲ୍ ଓ ବିହନ ବିଲ୍ ରଦ୍ଦ କରିବା,ଚାଷୀଫସଲର ଲାଭଜନକ ଦର, ରାଷ୍ଟ୍ରାୟତ ଉଦ୍ୟୋଗର ସୁରକ୍ଷା ଇତ୍ୟାଦି ଦାବି ଉପରେ କେନ୍ଦ୍ରୀୟ ଟ୍ରେଡୟୁନିଅନ ସମୁହ, ସ୍ବାଧୀନ ଫେଡେରେସନ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ଙ୍କ ଦ୍ଵାରା ଆହୂତ ସର୍ବଭାରତୀୟ ସାଧାରଣ ଧର୍ମଘଟ ନୟାଗଡ଼ରେ ସଫଳତାର ସହ ପାଳିତ ହୋଇଯାଇଛି।ସିଆଇଟିୟୁ, ଏଆଇଟିୟୁସି, ଆଇଏନଟିୟୁସି, ସିସିଟିୟୁ, ଶ୍ରମିକ ୟୁନିଅନର ମିଳିତ ମଞ୍ଚ, କୃଷକ ସଭାର ଶହଶହ ସତ୍ୟାଗ୍ରହୀ ନୟାଗଡ଼ ମୁଖ୍ୟ ଛକରେ ଧାରଣା ଦେବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବିଭିନ୍ନ ଅଫିସ୍, ବ୍ୟାଙ୍କ, ବୀମା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ବନ୍ଦ ପାଳନ କରିଥିଲେ। ଶତାଧିକ ଗାଡ଼ିମଟର ଅଟକି ରହିଥିଲା ଏବଂ ଗୋଲେଇ ଛକ ଠାରେ ବରିଷ୍ଠ ଶ୍ରମିକ ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ପ୍ରତିବାଦ ସଭା ଅନୁଷ୍ଠିତ କରାଯାଇଥିଲା।

ଏହି ଧର୍ମଘଟରେ ଶ୍ରମିକ ନେତା ସତ୍ୟବ୍ରତ ନାୟକ, ପବିତ୍ର ଇନ୍ଦ୍ରଜିତ, ଅମୀୟ ପଟ୍ଟନାୟକ, ହୋସେନ ଖାଁ, ଶ୍ରୀକାନ୍ତ ପଟ୍ଟନାୟକ, ଭୁବନ ହାତୀ, ମନୋଜ ସାହୁ, ପ୍ରତୀକ ମହାପାତ୍ର, ବୁଦ୍ଧି ନାୟକ, ବାସୁଦେବ ମହାନ୍ତି, କୁଳମଣି ପୃଷ୍ଟି, ଆଶା ନେତ୍ରୀ ସରୋଜିନୀ ସାହୁ,ପ୍ରତିଭା ବେହେରା, ପାଚିକା ନେତ୍ରୀ ସାରସ ମାଝୀ, କୁନୀ ସାହୁ, ନାରୀ ନେତ୍ରୀ ଇତୀ ମାନସିଂହ ପ୍ରମୁଖ ନେତୃତ୍ବ ନେଇ ଆନ୍ଦୋଳନ ସଫଳ କରିଥିଲେ। ଶ୍ରମିକ ସଂଗଠନର ସମନ୍ୱୟ କମିଟି ଆନ୍ଦୋଳନରେ ସାମିଲ ହୋଇଥିଲେ।
