ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଅଞ୍ଚଳର ଅକ୍ଷୟ ପଟ୍ଟନାୟକ (୮୭) । ୧୯୭୦ ମସିହାରେ ସେ ମାଡ୍ରାସ (ବର୍ତ୍ତମାନର ଚେନ୍ନାଇ) ମ୍ୟୁନସିପାଲ କର୍ପୋରେସନରେ ମେକାନିକାଲ ଇଞ୍ଜିନିଅର ଭାବରେ କାମ କରୁଥିଲେ । ସେତେବେଳେ ଆରମ୍ଭ ହୋଇଥିଲା ବିଭିନ୍ନ ମେକାନିକାଲ ଯନ୍ତ୍ରପାତି ସହ ପୁରୁଣା ସାମଗ୍ରୀ ସାଇତି ରଖିବାର ନିଶା । ମାଡ୍ରାସରୁ ଓଡିଶା ଫେରିବା ପରେ ଆରମ୍ଭ କରିଥିଲେ ଏକ ବୈଷୟିକ ସଂଗ୍ରହାଳୟ । ବର୍ତ୍ତମାନ ଅକ୍ଷୟ ପଟ୍ଟନାୟକଙ୍କ ସଂଗ୍ରହାଳୟରେ ୩୫ ଟି ବିଭାଗର ୩୦ ହଜାରରୁ ଅଧିକ ସାମଗ୍ରୀ ରହିଛି ବୋଲି ସେ କହିଛନ୍ତି । ଅନେକ ସାମଗ୍ରୀ ଜର୍ମାନ, ଜାପାନ ଓ ପ୍ରାନ୍ସ ଭଳି ଦେଶରୁ ସଂଗ୍ରହ ହୋଇଥିବା ରଖାଯାଇଛି । ୧୧୦୦ ରୁ ଅଧିକ ପ୍ରକାର ରେଡିଓ, ଗ୍ରାମଫୋନ, ଲାଇଟ, ଚରଖା, ଟାଇପ ମେସିନ, କିରୋସିନ ଚାଳିତ ରେଫ୍ରିଜେଟର, ଟିଭି, ଟେଲିଫୋନ, ବିଶ୍ୱର ପ୍ରଥମ କ୍ୟାମେରା, ପୁରୁଣା ମଡେଲ କ୍ୟାମେରା, ପୋଥି, ନୋଟ୍ ଗଣନା ଯନ୍ତ୍ର, ନୋଟ୍ ଯାଞ୍ଚ ଯନ୍ତ୍ର, ବାଦ୍ୟ ଯନ୍ତ୍ର, ବିଭିନ୍ନ ପ୍ରକାର ମାଟି ପାତ୍ର, ପୋଷ୍ଟ କାର୍ଡ, ଡାକ ଟିକଟ, ପୁରୁଣା ବିଦେଶୀ ନୋଟ ଓ ମୁଦ୍ରା ଆଦି ଅନେକ ସାମଗ୍ରୀ ସାଇତି ରଖିଛନ୍ତି । ତେବେ ଯେବେ ବି ସେ ଜୁଆଡେ ଯାଆନ୍ତି ସେଠୁ ଯାହା ପାଆନ୍ତି ତାକୁ କିଣି ଆଣି ନିଜେ କରିଥିବା ଘନଶ୍ୟାମ ପିଣ୍ଡିକି ଶ୍ରୀଚନ୍ଦନ ସଂଗ୍ରହାଳୟରେ ସାଇତି ରଖନ୍ତି ।ତେବେ ଏହି ସଂଗ୍ରାହଳୟକୁ ନିଜେ ଅକ୍ଷୟ ପଟ୍ଟନାୟକ ପରିଚାଳନା କରୁଥିବା ବେଳେ ଏଥିପାଇଁ ଟଙ୍କାଟିଏ ମଧ୍ୟ ସରକାରୀ ସହାୟତା ମିଳିନଥିବା ସେ କହିଛନ୍ତି । ସେହିପରି ଏହି ସଂଗ୍ରାହଳୟ ପାଇଁ ଆଜି ଯାଏଁ ଏକ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ନିଜ ପୈତୃକ ସମ୍ପତି ପ୍ରାୟ ୨୦ ଏକର ଜମି ବିକ୍ରି କରି ସାରିଲେଣି । ଏହି ଘନଶ୍ୟାମ ପିଣ୍ଡିକି ଶ୍ରୀଚନ୍ଦନ ସଂଗ୍ରାହଳୟ ଏବେ ବୋଲଗଡ଼ ବ୍ଲକ ସାମ୍ନାରେ ଥିବା ଏକ କମ୍ୟୁନିଟି ସେଣ୍ଟରରେ ଚାଲିଥିବା ବେଳେ ସରକାରୀ ସହାୟତା ଆବଶ୍ୟକ ପଡୁଥିବା ସେ କହିଛନ୍ତି ।
