ପୋକ୍ସୋ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ପାଇଜାମାର ନାଡା ଖୋଲିବା ଏବଂ ଛାତିକୁ ଛୁଇଁବା ହେଉଛି ଦୁଷ୍କର୍ମ ଉଦ୍ୟମ। ଆହ୍ଲାବାଦ ହାଇକୋର୍ଟଙ୍କ ବିବାଦୀୟ ରାୟକୁ ଭତ୍ସନା କଲେ ସର୍ବୋଚ୍ଚ ଅଦାଲତ। । ସିଜେଆଇ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, ମହିଳାଙ୍କ ପାଇଜାମା ଡୋର ଖୋଲିବା କେବଳ ଏକ ଅଶ୍ଳୀଳ କାର୍ଯ୍ୟ କିମ୍ବା ଦୁଷ୍କର୍ମ ନୁହେଁ, ବରଂ ଏକ ଦୁଷ୍କର୍ମର ପ୍ରୟାସ ।ସୁପ୍ରିମକୋର୍ଟ ମାର୍ଚ୍ଚ ୨୦୨୫ରେ ଆଲ୍ଲାହାବାଦ ହାଇକୋର୍ଟଙ୍କର ଏକ ବିବାଦୀୟ ରାୟକୁ ସମ୍ପୂର୍ଣ୍ଣ ଭାବରେ ଖାରଜ କରିଦେଇଛନ୍ତି। ସୂଚନାନୁଯାୟୀ, ୨୦୨୧ ନଭେମ୍ଵର ୧୦ରେ ଜଣେ ମହିଳା ଅଭିଯୋଗ କରିଥିଲେ ଯେ, ତାଙ୍କର ୧୪ ବର୍ଷର ନାବାଳିକା ଝିଅ ଘରକୁ ଫେରୁଥିଲେ। ଏହି ସମୟରେ ତାଙ୍କ ଗାଁର କିଛି ଯୁବକ ପବନ, ଆକାଶ ଏବଂ ଅଶୋକ ତାଙ୍କୁ ବାଇକ୍ ରେ ଘରେ ଛାଡ଼ିଦେବେ ବୋଲି କହିଲେ। ଏହାପରେ ୩ ଅଭିଯୁକ୍ତ ନାବାଳିକାଙ୍କ ସହ ଦୁର୍ବ୍ୟବହାର କଲେ। ତାଙ୍କ ପାଇଜାମା ନାଡା ଖୋଲି ଦୁଷ୍କର୍ମ ଉଦ୍ୟମ କଲେ। ନାବାଳିକା ଜଣଙ୍କ ପାଟି କରିବାରୁ ଦୁଇ ଜଣ ସ୍ଥାନୀୟ ଲୋକ ଧାଇଁ ଆସିଲେ। ଏହାପରେ ଅଭିଯୁକ୍ତମାନେ ସେଠାରୁ ଫେରାର୍ ହୋଇଗଲେ।
ଆହ୍ଲାବାଦ ହାଇକୋର୍ଟ ଏହି ମାମଲାରେ ଶୁଣାଣି କରି କହିଥିଲେ ଯେ, ଜଣେ ଶିଶୁର ଛାତିକୁ ଛୁଇଁବା ଏବଂ ପାଇଜାମାର ନାଡା ଖୋଲିବା ଅର୍ଥ ଦୁଷ୍କର୍ମ ଉଦ୍ୟମ ନୁହେଁ, ଅଭିଯୁକ୍ତମାନେ କେବଳ ଦୁଷ୍କର୍ମ ପାଇଁ ପ୍ରସ୍ତୁତି କରୁଥିଲେ। ସୁପ୍ରିମକୋର୍ଟ ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତିର ସ୍ୱତଃ ବିଚାର କରିଥିଲେ। ତେବେ ରାୟ ପ୍ରଦାନ କରିବା ସହ ସୁପ୍ରିମକୋର୍ଟ ଭବିଷ୍ୟତ ପାଇଁ ଏକ ପ୍ରମୁଖ ସଂସ୍କାରମୂଳକ ପଦକ୍ଷେପ ନେଇଛନ୍ତି। କୋର୍ଟ ଜାତୀୟ ନ୍ୟାୟିକ ଏକାଡେମୀର ନିର୍ଦ୍ଦେଶକ ଏବଂ ପୂର୍ବତନ ବିଚାରପତି ଅନିରୁଦ୍ଧ ବୋଷଙ୍କୁ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କମିଟି ଯୌନ ଅପରାଧ ଏବଂ ସମ୍ବେଦନଶୀଳ ମାମଲାଗୁଡ଼ିକର ଶୁଣାଣି ସମୟରେ ବିଚାରପତିମାନଙ୍କ ମଧ୍ୟରେ ସମ୍ବେଦନଶୀଳତା ଏବଂ କରୁଣା ବିକଶିତ କରିବା ପାଇଁ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶାବଳୀ ବିକଶିତ କରିବ। କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଏହି ନିର୍ଦ୍ଦେଶାବଳୀଗୁଡ଼ିକ କଷ୍ଟକର ଓ ଜଟିଳ ବିଦେଶୀ ଶବ୍ଦ ବିନା ସରଳ ଭାଷାରେ ଲେଖାଯିବା ଉଚିତ ।
