ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟ ବଜାର ଅସ୍ଥିରତା ଅନୁଭବ କରୁଛି। ଯୁଦ୍ଧର ପ୍ରଭାବ କେବଳ ଅଶୋଧିତ ତୈଳ ଏବଂ ଶେୟାର ବଜାର ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ଏହା ତରଳୀକୃତ ପ୍ରାକୃତିକ ଗ୍ୟାସ (LNG) ର ମୂଲ୍ୟ ଉପରେ ମଧ୍ୟ ପ୍ରଭାବ ପକାଉଛି। ଏହାର ଅର୍ଥ ହେଉଛି ଯଦି ପରିସ୍ଥିତି ସ୍ବାଭାବିକ ନ ହୁଏ, ତେବେ ଆଗାମୀ ମାସଗୁଡ଼ିକରେ ଏହି ସାମଗ୍ରୀଗୁଡ଼ିକରେ ଏକ ଗୁରୁତ୍ୱପୂର୍ଣ୍ଣ ବୃଦ୍ଧି ଘଟିବ। ରିପୋର୍ଟ ଅନୁଯାୟୀ, ଭାରତ ପାଖରେ ଏହାର ଆବଶ୍ୟକତା ପୂରଣ କରିବା ପାଇଁ ପ୍ରାୟ ୪୦-୪୫ ଦିନର ଅଶୋଧିତ ତୈଳ ଭଣ୍ଡାର ଅଛି। ଭାରତରେ ପ୍ରାୟ ୧୦ କୋଟି ବ୍ୟାରେଲ ଅଶୋଧିତ ତୈଳ ମହଜୁଦ ରହିଛି।ଏଥିରେ ରିଫାଇନାରୀ ଭଣ୍ଡାର, ଭୂତଳ ପେଟ୍ରୋଲିୟମ୍ ଭଣ୍ଡାର ଓ ଭାରତକୁ ଆସୁଥିବା ଜାହାଜରେ ଗଚ୍ଛିତ ତୈଳ ଅନ୍ତର୍ଭୁକ୍ତ। ଭାରତ ମୋଟ ଅଶୋଧିତ ତୈଳ ଆବଶ୍ୟକତାର ପ୍ରାୟ ୮୮ ପ୍ରତିଶତ ଆମଦାନୀ କରୁଥିବା ବେଳେ ଏହି ମୋଟ ଆମଦାନୀର ଅଧାରୁ ଅଧିକ ପଶ୍ଚିମ ଏସିଆରୁ ଆସିଥାଏ, ଯାହାର ଏକ ବଡ଼ ଅଂଶ ହର୍ମୁଜ୍ ପ୍ରଣାଳୀ ଦେଇ ଗତି କରେ।
ହାରାହାରି, ଭାରତ ପ୍ରତିଦିନ ପ୍ରାୟ ୫୦ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ଆମଦାନୀ କରେ, ଯାହା ମଧ୍ୟରୁ ପ୍ରାୟ ୨୫ ଲକ୍ଷ ବ୍ୟାରେଲ ଏହି ରାସ୍ତା ଦେଇ ଆସେ । କେପଲରର ପ୍ରମୁଖ ଗବେଷଣା ବିଶ୍ଳେଷକ ସୁମିତ ରିଟୋଲିଆ କୁହନ୍ତି ଯେ ଯଦି ପଶ୍ଚିମ ଏସିଆରୁ ତୈଳ ଯୋଗାଣ ଅସ୍ଥାୟୀ ଭାବରେ ବାଧାପ୍ରାପ୍ତ ହୁଏ, ତେବେ ଏହାର ତୁରନ୍ତ ପ୍ରଭାବ ଯୋଗାଣ ଶୃଙ୍ଖଳା ଓ ମୂଲ୍ୟ ଉପରେ ପଡ଼ିବ । ଅନ୍ୟପଟେ ବିଶ୍ୱର ତେଲ ଓ ଗ୍ୟାସ୍ ଯୋଗାଣ ବ୍ୟବସ୍ଥାକୁ ସୁରକ୍ଷିତ ରଖିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଇରାନର ଧମକ ଯୋଗୁଁ ‘ଷ୍ଟ୍ରେଟ୍ ଅଫ୍ ହରମୁଜ୍’ ଦେଇ ଯାଉଥିବା ତେଲ ଟ୍ୟାଙ୍କର ଗୁଡ଼ିକ ଏବେ ବିପଦରେ ଅଛନ୍ତି । ହର୍ମୁଜ ପ୍ରଣାଳୀ ବନ୍ଦ ଘୋଷଣା କରିଛି ଇରାନ । ଏହି ସଙ୍କଟ ସମୟରେ ଟ୍ରମ୍ପ ଦୁଇଟି ବଡ଼ ଘୋଷଣା କରିଛନ୍ତି । ଯୁଦ୍ଧ ଭୟ ଯୋଗୁଁ ବୀମା କମ୍ପାନୀଗୁଡ଼ିକ ବହୁତ ଅଧିକ ଟଙ୍କା ମାଗୁଛନ୍ତି ।
ଏହାକୁ ଦୃଷ୍ଟିରେ ରଖି ଟ୍ରମ୍ପ ଆମେରିକା ସରକାରଙ୍କ ପକ୍ଷରୁ ଖୁବ୍ କମ୍ ଖର୍ଚ୍ଚରେ ‘ପଲିଟିକାଲ୍ ରିସ୍କ ଇନସୁରାନ୍ସ’ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ୱାରା ବ୍ୟବସାୟୀମାନେ ନିର୍ଭୟରେ ସମୁଦ୍ର ପଥରେ ବ୍ୟାପାର କରିପାରିବେ । ଯଦି ଦରକାର ପଡ଼େ, ଆମେରିକା ନୌସେନାର ଯୁଦ୍ଧ ଜାହାଜଗୁଡ଼ିକ ତେଲ ଟ୍ୟାଙ୍କର ସହିତ ଯାଇ ସେମାନଙ୍କୁ ଇରାନ ଆକ୍ରମଣରୁ ସୁରକ୍ଷା ଦେବେ । ବିଶ୍ୱକୁ ତେଲ ଓ ଗ୍ୟାସ୍ ଯୋଗାଣ କୌଣସି ପରିସ୍ଥିତିରେ ବି ବନ୍ଦ ହେବ ନାହିଁ ବୋଲି ଟ୍ରମ୍ପ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।
