ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣରେ ଆୟାତୁଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ପରେ ଇରାନର ରାଜନୀତିରେ ଏକ ବଡ଼ ଧରଣର ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି । ଖାମେନେଇଙ୍କ ପୁଅ ମୋଜତାବାଙ୍କ ହାତକୁ ଗଲା ଦେଶର ଶାସନ ଡୋରି । ବାପାଙ୍କ ପରେ ଏବେ ପୁଅ । ଇରାନର ନୂଆ ‘ସୁପ୍ରିମ୍ ଲିଡର’ ହେଲେ ମୋଜତାବା । ଆୟାତୁଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ପରେ, ତାଙ୍କ ଦ୍ୱିତୀୟ ପୁଅ ୫୬ ବର୍ଷିୟ ମୋଜତାବା ହୁସେନି ଖାମେନେଇ ଇରାନର ନୂଆ ସର୍ବୋଚ୍ଚ ନେତା ଭାବରେ ନିର୍ବାଚିତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଇରାନର ‘ଆସେମ୍ବଲି ଅଫ୍ ଏକ୍ସପର୍ଟସ’ ମୋଜତାବାଙ୍କ ନାମରେ ମୋହର ମାରିଛନ୍ତି । ଇରାନର ଶକ୍ତିଶାଳୀ ସେନା ‘ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ’ (IRGC) ର ପ୍ରବଳ ଚାପ ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି ।ମୋଜତବା ଖାମେନେଇଙ୍କ ପୃଷ୍ଠଭୂମି: ୧୯୬୯ ମସିହାରେ ଜନ୍ମିତ ମୋଜତବା ହେଉଛନ୍ତି ଅଲି ଖାମେନେଇଙ୍କ ଦ୍ୱିତୀୟ ପୁତ୍ର । ସେ କେବେ ବି କୌଣସି ବଡ଼ ସରକାରୀ ପଦବୀରେ ରହିନାହାନ୍ତି, କିନ୍ତୁ ପ୍ରାୟ ଦୁଇ ଦଶନ୍ଧି ଧରି ତାଙ୍କୁ ଇରାନ ଶାସନର ‘ରିମୋଟ୍ କଣ୍ଟ୍ରୋଲ୍’ ବୋଲି କୁହାଯାଉଥିଲା । ସେ ଜଣେ ମଧ୍ୟମ ସ୍ତରର ଶିଆ ଧର୍ମଗୁରୁ ହୋଇଥିଲେ ମଧ୍ୟ ସାମରିକ ଏବଂ ଗୁପ୍ତଚର ବିଭାଗ ଉପରେ ତାଙ୍କର ପ୍ରବଳ ପ୍ରଭାବ ରହିଛି । ବିଶେଷ କରି IRGC ସହିତ ତାଙ୍କର ଅତି ଘନିଷ୍ଠ ସମ୍ପର୍କ ଆଗାମୀ ଦିନରେ ଆମେରିକା ଏବଂ ଇସ୍ରାଏଲ୍ ପାଇଁ ବଡ଼ ଆହ୍ୱାନ ସୃଷ୍ଟି କରିବ ।୨୦୦୯ରେ ଇରାନରେ ହୋଇଥିବା ବିକ୍ଷୋଭକୁ ଦମନ କରିବାରେ ତାଙ୍କର ବଡ଼ ଭୂମିକା ଥିଲା । ଖାମେନେଇଙ୍କ ପୁଅଙ୍କୁ ନେତା କରିବା ଦ୍ୱାରା ଇରାନରେ ପୁଣି ଥରେ ‘ରାଜା ଶାସନ’ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଯାହାକୁ ନେଇ ଦେଶ ଭିତରେ ଓ ବାହାରେ ବିରୋଧ ହୋଇପାରେ । ଏ ନେଇ ଇରାନ ସରକାରୀ ଭାବେ ଏପର୍ଯ୍ୟନ୍ତ ଘୋଷଣା କରିନାହାନ୍ତି ।
