ଏପ୍ରିଲ୍‌ ୨ରୁ ଯୁକ୍ତ୨ ଖାତାଦେଖା ଆରମ୍ଭ

ଏପ୍ରିଲ୍‌ ୨ରୁ ଯୁକ୍ତ୨ ଖାତାଦେଖା। ଏଥର ମଧ୍ୟ ଦୁଇଟି ପର୍ଯ୍ୟାୟରେ ଖାତା ମୂଲ୍ୟାୟନ କରାଯିବ। ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ୍‌ ୨ରୁ ୧୩ ଓ ଦ୍ବିତୀୟ ପର୍ଯ୍ୟାୟରେ ଏପ୍ରିଲ ୧୫ରୁ ୨୬ ତାରିଖ ଯାଏଁ ଖାତାଦେଖା ଚାଲିବ।ଦୁଇଟି ପର୍ଯ୍ୟାୟ‌ରେ ୧୬ ହଜାର ଅଧ୍ୟାପକ ନିୟୋଜିତ ହେବେ ବୋଲି ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା କହିଛନ୍ତି। ଇ-ମୂଲ୍ୟାୟନ ହେବାକୁ ଥିବା କେନ୍ଦ୍ରଗୁଡ଼ିକରେ କମ୍ପ୍ୟୁଟର ଯେପରି ହ୍ୟାଙ୍ଗ ନହେବ, ସେଥିପ୍ରତି ଦୃଷ୍ଟି ଦେବାକୁ ସ୍ୱତନ୍ତ୍ର କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ। ଏପ୍ରିଲ ଭିତରେ ମୂଲ୍ୟାୟନ ପ୍ରକ୍ରିୟା ଶେଷ କରି ମେ’ ତୃତୀୟ ସପ୍ତାହରେ ଫଳ ପ୍ରକାଶ କରିବାକୁ ପରିଷଦ ଲକ୍ଷ୍ୟ ରଖିଛି। ତେବେ ବିଜ୍ଞାନ, ବାଣିଜ୍ୟ ଓ କଳା ବିଭାଗର କିଛି ବିଷୟର ଉତ୍ତର ଖାତା ଇ-ମୂଲ୍ୟାୟନ ଏବ˚ କଳା ଓ ଧନ୍ଦାମୂଳକ ବିଭାଗ ବିଷୟଗୁଡ଼ିକର ମାନୁଆଲ୍‌ ମୂଲ୍ୟାୟନ କରାଯିବ। ଉଭୟ ଅଫ୍‌ଲାଇନ୍‌ ଓ ଅନ୍‌ଲାଇନ୍‌ ମୂଲ୍ୟାୟନ ପାଇଁ ୧୫୧ଟି ମୂଲ୍ୟାୟନ କେନ୍ଦ୍ର ହୋଇଛି। ସେଥିମଧ୍ୟରେ ଅଫ୍‌ଲାଇନ୍‌ ପାଇଁ ୭୬ ଓ ଅନ୍‌ଲାଇନ୍‌ ପାଇଁ ୭୫ଟି କେନ୍ଦ୍ର ରହିଛି। ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନରେ ଅନ୍‌ଲାଇନ୍‌ ଖାତା ଦେଖିବାକୁ ୩,୫୦୦ ଏବଂ ଅଫ୍‌ଲାଇନ୍‌ ପାଇଁ ୪,୫୦୦ ଅଧ୍ୟାପକ ଅଧ୍ୟାପିକା ରହିବେ। ଦ୍ବିତୀୟ ପର୍ଯ୍ୟାୟ ମୂଲ୍ୟାୟନରେ ୮ ହଜାର ମୂଲ୍ୟାୟନକାରୀ ସାମିଲ ହେବେ। ଏବର୍ଷ ପ୍ରାୟ ୨୫ ଲକ୍ଷ ଖାତା ମୂଲ୍ୟାୟନ ହେବ।

ଅଧିକ ପଢନ୍ତୁ