ବିଧାନସଭାରେ ପାନୀୟ ଜଳ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ବିଜେଡି ଓ ବିଜେପି ।ପ୍ରଶ୍ନକାଳ ଆଲୋଚନା ବେଳେ ପଞ୍ଚାୟତ ରାଜ ମନ୍ତ୍ରୀ ଉତ୍ତର ରଖିଛନ୍ତି | ଆସନ୍ତା ମାର୍ଚ୍ଚ ୨୦୨୭ ସୁଦ୍ଧା ସବୁ ଘରକୁ ପାଣି ଯୋଗାଇବା ପାଇଁ ଟାର୍ଗେଟ ରହିଛି। ନିର୍ଦ୍ଧାରିତ ୨୦୭ଟି ମେଗା ପ୍ରକଳ୍ପ କାମ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ମାର୍ଚ୍ଚ ୫ ତାରିଖ ସୁଦ୍ଧା ୬୮ ଲକ୍ଷ ୪୭ ହଜାର ୭୫୨ ଅର୍ଥାତ ୭୭ ପ୍ରତିଶତ ପରିବାରକୁ ପିଇବା ପାଣି ଯୋଗାଇ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ୨୬ଟି ମେଗା ପ୍ରକଳ୍ପ ଶେଷ ହୋଇଛି । ଆଉ ମାର୍ଚ୍ଚ ସୁଦ୍ଧା ଆହୁରି ୨୮ଟି ମେଗା ପ୍ରକଳ୍ପ ଶେଷ ହେବ । ସେହିପରି ୪୪ ହଜାର ୫୩୧ ଗାଁରୁ ୧୧ ହଜାର ୭୭୭ ଗାଁରେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି । ତେବେ ରାଜ୍ୟରେ ୫ ଲକ୍ଷ ୨୭ ହଜାର ୬୯୪ ଟ୍ୱିବୱେଲ ରହିଛି ବୋଲି କହିଛନ୍ତି ମନ୍ତ୍ରୀ ରବି ନାରାୟଣ । ଅନ୍ୟପଟେ ମନ୍ତ୍ରୀ କହିଛନ୍ତି, “ରାଜ୍ୟରେ ନିର୍ବାଚିତ ଜିଲ୍ଲା ପରିଷଦ, ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ ଓ ୱାର୍ଡ ମେମ୍ବରମାନଙ୍କ ମୃତ୍ୟୁଜନିତ ଖାଲି ଥିବା ପଦବୀ ଗୁଡ଼ିକୁ ଚଳିତ ବର୍ଷ ନିର୍ବାଚନ କରାଇ ପୂରଣ କରିବା ନିମନ୍ତେ ବିହିତ ପଦକ୍ଷେପ ନିଆଯାଉଛି ।”
ପରେ ଗୃହ ବାହାରେ ବିଧାନସଭା ପରିସରରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି, “ପଞ୍ଚାୟତ ଉପ ନିର୍ବାଚନ ନିଷ୍ପତ୍ତି ରାଜ୍ୟ ନିର୍ବାଚନ ଆୟୋଗ ନେବେ । ନିଷ୍ପତ୍ତି ନେବା ପରେ ସରକାର କୌଣସି ଅବହେଳା କରିବେ ନାହିଁ ଉପନିର୍ବାଚନ ପାଇଁ ।”
