ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଥିବା ବେଳେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ଜୀବଜନ୍ତୁଙ୍କ ପାଇଁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା । ବିଶେଷ କରି ଖରା ଦିନେ ପ୍ରାଣୀମାନେ ଗରମ ଯୋଗୁଁ ଅଂଶୁଘାତର ଶିକାର ହେଉଥିବାରୁ ନନ୍ଦନକାନନ କର୍ତ୍ତୃପକ୍ଷ ସେମାନଙ୍କୁ ଥଣ୍ଡା ଏବଂ ସୁରକ୍ଷିତ ରଖିବା ପାଇଁ ପ୍ରାକୃତିକ ପଦ୍ଧତି ଗ୍ରହଣ କରିଛନ୍ତି ।ପକ୍ଷୀମାନଙ୍କ ଖୁଆଡ଼ ଚାରି ପାଖକୁ ଥଣ୍ଡା ରଖିବା ପାଇଁ ସ୍ପ୍ରିଙ୍କଲର ମାଧ୍ୟମରେ ଏନକ୍ଲୋଜର ଭିତରେ ପାଣି ସିଞ୍ଚନ କରାଯାଉଛି । ସମସ୍ତ ପକ୍ଷୀ କିମ୍ବା ପ୍ରାଣୀଙ୍କ ଏନକ୍ଲୋଜରରେ ୨୪ ଘଣ୍ଟା ପାଣି ବ୍ୟବସ୍ଥା କରାଯାଇଛି । ଏହାସହ ପକ୍ଷୀମାନଙ୍କ ଖୁଆଡ଼ ଉପରେ ନଡା ସହିତ ବାଉଁଶର ତାଟି ପକାଇ ଖୁଆଡ଼କୁ ଥଣ୍ଡା ରଖିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।ଭାଲୁ ଓ ସିମ୍ପାଞ୍ଜିମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେମାନଙ୍କୁ ଥଣ୍ଡା ରଖିବା ପାଇଁ ମାଂସ ମଧ୍ୟରେ ବରଫ ରଖାଯାଇଛି । ସେମାନଙ୍କ ଖୁଆଡରେ ବିଶେଷ କରି ବରଫ ରଖା ଯାଇଛି ।ଏହା ସହିତ ଚିମ୍ପାଞ୍ଜି ଏବଂ ହିମାଳୟନ କଳା ଭାଲୁ ରହୁଥିବା ଖୁଆଡ଼ ମଧ୍ୟରେ କୁଲର ସହିତ ବରଫ ମଧ୍ୟ ରଖାଯାଇଛି । ଏବଂ ଖାଦ୍ୟରେ ପଇଡ଼, ତରଭୁଜ ଓ ପାଣି ଜାତୀୟ ଖାଦ୍ୟ ପ୍ରଦାନ କରାଯାଉଛି ।
