ଆଜି ସିଇସିଙ୍କ ବିରୋଧରେ ଆଗତ ହେବ ଅନାସ୍ଥା ନୋଟିସ

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ହଟାଇବା ପାଇଁ ବିରୋଧୀ ଦଳଗୁଡ଼ିକ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବିରୋଧୀ ମେଣ୍ଟ ଇଣ୍ଡିଆର ମୋଟ ୧୯୩ ସାଂସଦ ତାଙ୍କୁ ହଟାଇବା ପାଇଁ ଏକ ନୋଟିସରେ ସ୍ୱାକ୍ଷର କରିଛନ୍ତି। ଏହି ନୋଟିସ ଶୁକ୍ରବାର ସଂସଦର ଉଭୟ ଗୃହରେ ଉପସ୍ଥାପିତ ହୋଇପାରେ। ନିୟମ ଅନୁଯାୟୀ ସିଇସିଙ୍କୁ ବହିଷ୍କାର କରିବାକୁ ଲୋକସଭାରେ ଅତିକମରେ ୧୦୦ ଏବଂ ରାଜ୍ୟସଭାରେ ୫୦ ଜଣ ସାଂସଦ ଦସ୍ତଖତ କରିବା ଜରୁରୀ। ପ୍ରସ୍ତାବରେ ଜ୍ଞାନେଶ କୁମାରଙ୍କ ବିରୋଧରେ ସାତଟି ଅଭିଯୋଗ ଆଗତ କରାଯାଇଛି। ନିରପେକ୍ଷ ଭାବେ କାର୍ଯ୍ୟ ନ କରି ଜ୍ଞାନେଶ ନିର୍ଦିଷ୍ଟ ରାଜନୈତିକ ଦଳର ଇଙ୍ଗିତରେ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ବିଶେଷ କରି ବର୍ତ୍ତମାନ ବିଭିନ୍ନ ରାଜ୍ୟରେ ସ୍ବତନ୍ତ୍ର ଭୋଟର ତାଲିକା ସମୀକ୍ଷା (ଏସଆଇଆର) କାର୍ଯ୍ୟ ଚାଲିଥିବାବେଳେ ଜ୍ଞାନେଶ କୁମାରଙ୍କ ଭୂମିକା ନେଇ ବିରୋଧୀ ଦଳଗୁଡିକ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଆସୁଛନ୍ତି।ମମତା ବାନାର୍ଜୀ ମଧ୍ୟ ଏହି ପ୍ରସଙ୍ଗରେ ଗମ୍ଭୀର ଅଭିଯୋଗ କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ଟିଏମସି ମୁଖ୍ୟ ମମତା ବାନାର୍ଜୀ କହିଛନ୍ତି ଯେ ଭୋଟର ତାଲିକା ସଂଶୋଧନ ସମୟରେ ଅନେକ ପ୍ରକୃତ ଭୋଟରଙ୍କ ନାମ କଟାଯାଉଛି, ଯାହା ଗଣତାନ୍ତ୍ରିକ ପ୍ରକ୍ରିୟା ପାଇଁ ଚିନ୍ତାର ବିଷୟ।

ଅଧିକ ପଢନ୍ତୁ