ଆରବ ସାଗରରେ ୩ ହଜାର କୋଟିର ଡ୍ରଗ୍ସ ଜବତ ହୋଇଥିବା ବେଳେ ୫ ପାକିସ୍ତାନୀ ଅଟକ ରହିଛନ୍ତି । ଆରବ ସାଗରରେ ବଡ଼ ଧରଣର ଡ୍ରଗ୍ସ ଚୋରାଚାଲାଣ ଉଦ୍ୟମକୁ ପଣ୍ଡ କରିଛି ଭାରତୀୟ ତଟରକ୍ଷୀ ବାହିନୀ ଓ ଗୁଜରାଟ ଆଣ୍ଟି-ଟେରୋରିଷ୍ଟ ସ୍କ୍ୱାଡ୍ (ATS) ।ଭାରତୀୟ ତଟରକ୍ଷୀ ବାହିନୀ ସୂଚନା ଅନୁସାରେ, ସେପ୍ଟେମ୍ବର ୨୫ ତାରିଖରେ ଗୁଇନ୍ଦା ସୂଚନା ଆଧାରରେ, ATS ଗୁଜରାଟ ଏବଂ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ସହ ମିଳିତ ଅଭିଯାନରେ, ଭାରତୀୟ ତଟରକ୍ଷୀ ବାହିନୀ ଆରବ ସାଗରରେ ଲାକ୍ଷାଦ୍ୱୀପର ପଶ୍ଚିମ ଦିଗରେ ଏକ ସନ୍ଦିଗ୍ଧ ଇରାନୀୟ ଡଙ୍ଗା ଉପରେ କଡ଼ା ନଜର ରଖିଥିଲା । ସୁରକ୍ଷା ବାହିନୀଙ୍କୁ ଦେଖିବା ପରେ, ଡଙ୍ଗାଟି ଦ୍ରୁତ ଗତିରେ ଖସିଯିବା ପାଇଁ ଚେଷ୍ଟା କରିଥିଲା, କିନ୍ତୁ ଭାରତୀୟ ତଟରକ୍ଷୀ ବାହିନୀ ତୁରନ୍ତ ସେମାନଙ୍କ ପିଛା କରିଥିଲେ ଏବଂ ଡଙ୍ଗାଟିକୁ ଚାରି ପଟୁ ଘେରିଯାଇ ନିୟନ୍ତ୍ରଣକୁ ନେଇଥିଲେ ।ନୌକାର ତଲାସି ବେଳେ ବିପୁଳ ପରିମାଣର ହେରୋଇନ୍ ଓ ମେଥାମ୍ଫେଟାମାଇନ୍ ମିଳିଥିଲା ।
ମୋଟ ୫୨୬ କିଲୋଗ୍ରାମ ନିଶାଦ୍ରବ୍ୟ ଜବତ ହୋଇଥିବାବେଳେ ଏହାର ମୂଲ୍ୟ ୩ ହଜାର କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି । ଅଟକ ଇରାନୀ ନୌକାରେ ୫ ଜଣ ପାକିସ୍ତାନୀ କ୍ରୁ ସଦସ୍ୟ ଥିଲେ । ସମସ୍ତଙ୍କୁ ଅଟକ ରଖାଯିବା ସହ ନୌକା ଓ ଜବତ ନିଶାଦ୍ରବ୍ୟକୁ କଡ଼ା ସୁରକ୍ଷା ମଧ୍ୟରେ ମୁମ୍ବାଇ ଅଣାଯାଇଛି ।
