ଉତ୍ତର ପ୍ରଦେଶର ଆଗ୍ରା ଜିଲ୍ଲା ତାଜଗଞ୍ଜ ଥାନା ଅଞ୍ଚଳରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ତାଜଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳରେ ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି ।ଭାଇରାଲ ଭିଡିଓରେ ମୃତ ଯୁବତୀ ଜଣକ ଅଭିଯୁକ୍ତ କନଷ୍ଟେବଳ ଜେବି ଗୌତମଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଯୁବତୀଙ୍କ କହିବା ଅନୁଯାୟୀ, ଗୌତମ ତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଗତ ଚାରି ବର୍ଷ ଧରି ସ୍ତ୍ରୀ ଭାବରେ ରଖି ଆସୁଥିଲେ। ମାତ୍ର ବିବାହ ପାଇଁ ଚାପ ପକାଇବା ପରେ କନଷ୍ଟେବଳ ଜଣକ ପରିବାରର ଅସମ୍ମତି ଦର୍ଶାଇ ପଛଘୁଞ୍ଚା ଦେବା ସହ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଭିଡିଓରେ ସେ ଅତ୍ୟନ୍ତ ଭାବପ୍ରବଣ ହୋଇ କହିଛନ୍ତି ଯେ, ଅଭିଯୁକ୍ତ ନିଜେ ପୋଲିସ ହୋଇଥିବାରୁ ତାଙ୍କୁ ନ୍ୟାୟ ମିଳିବ କି ନାହିଁ ସେ ନେଇ ସେ ଆଶଙ୍କାରେ ଥିଲେ। ଘଟଣାଟି ସାମ୍ନାକୁ ଆସିବା ପରେ ପୋଲିସ ପ୍ରଶାସନ ତତ୍ପରତା ପ୍ରକାଶ କରିଛି।ପୀଡ଼ିତାଙ୍କ ପରିବାର ପକ୍ଷରୁ କରାଯାଇଥିବା ଅଭିଯୋଗ ଆଧାରରେ ପୋଲିସ ଏବେ ଭାଇରାଲ ଭିଡିଓକୁ ମୁଖ୍ୟ ପ୍ରମାଣ ଭାବେ ଗ୍ରହଣ କରିଛି । ଜଣେ ପୋଲିସ କର୍ମଚାରୀଙ୍କ ଏଭଳି କାର୍ଯ୍ୟକଳାପ ବିଭାଗ ପାଇଁ ଲଜ୍ୟାଜନକ ହୋଇଥିବା ବେଳେ, ପୋଲିସ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରଖିଛି । ଯୁବତୀଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବା ପାଇଁ ସମସ୍ତ ବୈଷୟିକ ଓ ପାରିପାର୍ଶ୍ୱିକ ପ୍ରମାଣ ସଂଗ୍ରହ କରାଯାଉଛି ।
