ୟୁନିଟେକ ପବ୍ଲିକ ସ୍କୁଲରେ ଶିକ୍ଷା ଓ ବିଜ୍ଞାନମେଳା ୨୦୨୬ ଅନୁଷ୍ଠିତ

ନୟାଗଡ଼,(ଓଡ଼ିଶା ଦର୍ପଣ): ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୟୁନିଟେକ ପବ୍ଲିକ ସ୍କୁଲ ପରିସରରେ ଏକ ଆକର୍ଷଣୀୟ ଓ ଭବ୍ୟ ଶିକ୍ଷା ମେଳା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ନିର୍ଦ୍ଦେଶକ  ପ୍ରବୀର କୁମାର ପୃଷ୍ଟି ଏବଂ ଅଧ୍ୟକ୍ଷା ରୋଜାଲିନ ପାତ୍ର ଯୁଗ୍ମ ଭାବେ ପ୍ରଦୀପ ପ୍ରଜ୍ୱଳନ କରି ଏହି ଶିକ୍ଷା ମେଳା-୨୦୨୬ କୁ ଶୁଭାରମ୍ଭ କରିଥିଲେ।
ଏହି ଅଭିନବ ଶିକ୍ଷା ଭିତ୍ତିକ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଉଭୟ କନିଷ୍ଠ ଓ ବରିଷ୍ଠ ବର୍ଗର ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ଯୋଗଦେଇଥିଲେ। ପିଲାମାନେ ବିଜ୍ଞାନ, ଗଣିତ, ଇଂରାଜୀ, ସଂସ୍କୃତ, ହିନ୍ଦୀ, ଓଡ଼ିଆ ଏବଂ ସାମାଜିକ ବିଜ୍ଞାନ ଭଳି ବିଭିନ୍ନ ବିଷୟକୁ ଆଧାର କରି ଅନେକ ଜ୍ଞାନବର୍ଦ୍ଧକ ଓ ସୃଜନଶୀଳ ପ୍ରକଳ୍ପ ପ୍ରସ୍ତୁତ କରିଥିଲେ। ପ୍ରତ୍ୟେକ ପ୍ରକଳ୍ପ ମାଧ୍ୟମରେ ଛାତ୍ରଛାତ୍ରୀମାନେ ସେମାନଙ୍କର ନୂତନ ଚିନ୍ତାଧାରା, କଠିନ ପରିଶ୍ରମ ଏବଂ ପ୍ରତିଭାର ବାସ୍ତବ ପରିଚୟ ଦେଇଥିଲେ।
ଏହି ମେଳାରେ ସର୍ବକନିଷ୍ଠ ବର୍ଗରୁ ୭୪ ଜଣ, କନିଷ୍ଠ ବର୍ଗର ଗଣିତ ଓ ବିଜ୍ଞାନରୁ ୫୬ ଜଣ, ଇଂରାଜୀ-ହିନ୍ଦୀ-ସାମାଜିକ ବିଜ୍ଞାନରୁ ୧୫ ଜଣ ଏବଂ ବରିଷ୍ଠ ବର୍ଗର ଗଣିତ ଓ ବିଜ୍ଞାନ ପ୍ରକଳ୍ପରୁ ୫୨ ଜଣ ତଥା ଇଂରାଜୀ,ସାମାଜିକ ବିଜ୍ଞାନ ଏବଂ ସଂସ୍କୃତରୁ ୧୭ ଜଣ ଏହିପରି ଭାବେ ସର୍ବମୋଟ ୨୧୪ ଜଣ ପ୍ରତିଭାଗୀ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।


କାର୍ଯ୍ୟକ୍ରମରେ ବିଚାରକ ଭାବେ ଡକ୍ଟର ଗୀତାଞ୍ଜଳି ତ୍ରିପାଠୀ, ଅଧ୍ୟାପିକା ଭାରତୀ ମିଶ୍ର, ଡକ୍ଟର ସନ୍ତୋଷ କୁମାର ବେହେରା, କେଶବ ଚନ୍ଦ୍ର ରାଉତରାୟ,  କୃପାସିନ୍ଧୁ ସ୍ୱାଇଁ, ବିଜୟଲକ୍ଷ୍ମୀ ସାହୁ, ପୂର୍ଣ୍ଣିମା ତ୍ରିପାଠୀ, ଲକ୍ଷ୍ମୀଧର ସାହୁ, ଦଣ୍ଡପାଣି ପାତ୍ର, ସ୍ମିତାରାଣୀ କର ଏବଂ  ଶୁଭଶ୍ରୀ ପ୍ରମୁଖ ଯୋଗଦେଇଥିଲେ। ବିଚାରକମାନେ ପ୍ରତ୍ୟେକ ପ୍ରକଳ୍ପକୁ ଗଭୀରତା ସହ ପର୍ଯ୍ୟବେକ୍ଷଣ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ପ୍ରକଳ୍ପର ଉଦ୍ଦେଶ୍ୟ, କାର୍ଯ୍ୟ ପ୍ରଣାଳୀ ଏବଂ ବ୍ୟବହାରିକ ଉପଯୋଗିତା ସମ୍ପର୍କରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ପିଲାମାନଙ୍କର ଉପସ୍ଥାପନା ଶୈଳୀ, ଆତ୍ମବିଶ୍ୱାସ ଏବଂ ସୃଜନଶୀଳତାକୁ ଆଧାର କରି ପ୍ରକଳ୍ପଗୁଡ଼ିକର ମୂଲ୍ୟାଙ୍କନ କରାଯାଇଥିଲା। ଏହି ଶିକ୍ଷା ମେଳା କେବଳ ଏକ ପ୍ରଦର୍ଶନୀ ନଥିଲା, ବରଂ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭା ଓ ଜ୍ଞାନକୁ ପରିପ୍ରକାଶ କରିବାର ଏକ ଉତ୍କୃଷ୍ଟ ମଞ୍ଚ ଥିଲା ବୋଲି ବିଦ୍ୟାଳୟର ଅଧ୍ୟକ୍ଷା ରୋଜାଲିନ ପାତ୍ର ମତ ପ୍ରକାଶ କରିଥିଲେ।

ଅଧିକ ପଢନ୍ତୁ