କଟକ ଏସସିବି ଅଗ୍ନିକାଣ୍ଡ ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

କଟକ ବଡ଼ ମେଡିକାଲରେ ଭୟାବହ ଅଗ୍ନିକାଣ୍ଡରେ ଯାଇଛି ୧୦ ଜଣଙ୍କ ଜୀବନ । ଅଗ୍ନିକାଣ୍ଡରେ ଅନେକ ଗୁରୁତର ହୋଇଥିବା ସୂଚନା ରହିଛି । ତେବେ ସେମାନଙ୍କର ଚିକିତ୍ସା ଜାରି ରହିଛି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି ।କଟକ ଏସସିବି ଅଗ୍ନିକାଣ୍ଡ ଘଟଣାକୁ ନେଇ ମୋହନ ମାଝୀଙ୍କ ସହ କଥା ହେଲେ ନରେନ୍ଦ୍ର ମୋଦି ।ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ପିଏମଏନଆରଏଫରୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ । ଆହତ ମାନଙ୍କୁ ୫୦,୦୦୦ ଟଙ୍କା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ । ଏସସିବି ମେଡିକାଲ କଲେଜରେ ଘଟିଥିବା ଅଭାବନୀୟ ଦୁର୍ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ସମସ୍ତ ପ୍ରଭାବିତଙ୍କ ପାଇଁ ଗ୍ରହଣ କରାଯାଇଥିବା ଜରୁରୀକାଳୀନ ପଦକ୍ଷେପ, ସ୍ଥାନାନ୍ତର ପ୍ରକ୍ରିୟା ଏବଂ ସେମାନଙ୍କୁ ଯୋଗାଇ ଦିଆଯାଉଥିବା ସ୍ୱତନ୍ତ୍ର ଚିକିତ୍ସା ସେବା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ।ତେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ‘ଏକ୍ସ’ ହ୍ୟାଣ୍ଡେଲରେ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଏହାସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ରାଷ୍ଟ୍ରପତି ।

ଅଧିକ ପଢନ୍ତୁ