SCB ଅଗ୍ନିକାଣ୍ଡ ଘଟଣା: ସ୍ୱାସ୍ଥ୍ର୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କଣ ଇସ୍ତଫା  ଦେବେ କି ? 

ଓଡ଼ିଶାର ସବୁଠାରୁ ବଡ଼ ସରକାରୀ ଡାକ୍ତରଖାନା କଟକ ଏସସିବି ମେଡିକାଲ୍ ର ଟ୍ରମା କେୟାର ସେଣ୍ଟରରେ ଗତ ରାତି ପ୍ରାୟ ଦୁଇଟା ବେଳେ ଭୟଙ୍କର ଅଗ୍ନିକାଣ୍ଡ ଘଟିଲା । ଏଥିରେ ୧୦ ଜଣ ରୋଗୀ ଜଳିଗଲେ । ୧୩ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଅଛି । ଅନେକଙ୍କ ବଞ୍ଚିବା ଆଶା କ୍ଷୀଣ । ଏହି ଭୟଙ୍କର ଦୁର୍ଘଟଣା ବେଳେ ଟ୍ରମା କେୟାରରେ ଅଧାରୁ କମ୍ କର୍ମଚାରୀ ଡ୍ୟୁଟିରେ ଥିଲେ । ମେଡିକାଲ୍ ପ୍ରଶାସନ ଗଭୀର ନିଦ୍ରାରୁ ବିଳମ୍ବରେ ଉଠିଲେ । ଜିଲ୍ଲା ପ୍ରଶାସନ ପହଞ୍ଚିବାକୁ ଦୁଇଘଣ୍ଟାରୁ ଅଧିକ ସମୟ ଲାଗିଗଲା । ସକାଳ ପ୍ରାୟ ୭ଟା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଧରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହସ୍ପିଟାଲ୍ ରେ ପହଞ୍ଚିଲେ । ସେଠାରେ ପ୍ରାୟ ୪୦ ମିନିଟ୍ ରହିଲେ । ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ । ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ । ମୁଖ୍ୟମନ୍ତ୍ରୀଙ୍କର ବ୍ୟସ୍ତତା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ମହାଲିଙ୍ଗଙ୍କର ମନ କିନ୍ତୁ ସେଠାରେ ନ ଥିଲା । ରାଜ୍ୟସଭା ଭୋଟ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ତରବର କରି ଭୁବନେଶ୍ୱର ପଳାଇ ଆସିଲେ । ବିଧାନସଭା ୫୪ ନମ୍ବର ପ୍ରକୋଷ୍ଠକୁ ଯାଇ ଆଗ ଭୋଟ ଦେଇଦେଲେ । ସେଠାରୁ ମନଖୁସିରେ ଆସି ମିଡିଆକୁ ବାଇଟ୍ ଦେଲେ ।

କଟକ ବିଧାୟିକା ସୋଫିଆ ଫିରଦୋସ୍ ବଡ଼ ଡାକ୍ତରଖାନା ଅଗ୍ନିକାଣ୍ଡ ସ୍ଥଳକୁ ଯାଇ ତାଙ୍କ ଦାୟିତ୍ୱ ତୁଲାଇଲେ । କଟକ ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ମଧ୍ୟ ଗଲେ । ସେଠାକାର ଅବ୍ୟବସ୍ଥାକୁ ନିଜ ଆଖିରେ ଦେଖିଲେ । କେଉଁ ପରିସ୍ଥିତିରେ ଅଗ୍ନିକାଣ୍ଡ ଘଟିଲା ପଚାରି ବୁଝିଲେ । ମୃତକ ଓ ଆହତଙ୍କ ପରିବାରକୁ ଭେଟି ଆଶ୍ୱାସନା ଦେଲେ । ଭବିଷ୍ୟତରେ ଏଭଳି ଦୁର୍ଘଟଣା ନ ହେବା ପାଇଁ ସରକାର ଯତ୍ନବାନ ହେବାକୁ ପରାମର୍ଶ ଦେଲେ । ତେବେ ଏଭଳି ଘଟଣା ପୂର୍ବରୁ ମଧ୍ୟ ଘଟିଛି। ୨୦୧୬ ଅକ୍ଟୋବରରେ ଭୁବନେଶ୍ୱରର ସମ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୨୨ ଜଣଙ୍କର ଜୀବନ ଯାଇଥିଲା । ଏହି ଦୁଃଖଦାୟକ ଦୁର୍ଘଟଣାକୁ ନେଇ ରାଜନୈତିକ ତମ୍ବିତୋଫାନ ହୋଇଥିଲା । ତତ୍କାଳୀନ ସ୍ୱାସ୍ଥ୍ର୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଦାୟୀ କରି ତାଙ୍କର ଇସ୍ତଫା ଦାବିରେ କମ୍ପମାନ କରିଥିଲେ ବିରୋଧୀ ଦଳ । ମିଡିଆ ବି ତାଙ୍କର ଇସ୍ତଫା ଦାବିରେ ଥରହର କରିଥିଲା । ଅତନୁଙ୍କୁ ବଳି ପକାଇବା ପାଇଁ ଜାତୀୟ ଗଣମାଧ୍ୟମକୁ ବ୍ୟବହାର କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଚାପ ପକାଇବାକୁ ଭରପୂର ଉଦ୍ୟମ ହେଲା । ଶେଷରେ ନୈତିକତାର ଦାୟିତ୍ୱ ନେଲେ ଅତନୁ । ମନ୍ତ୍ରୀପଦରୁ ଇସ୍ତଫା ଦେଲେ । ସମ୍ ହସ୍ପିଟାଲ୍ ମାଲିକ ମନୋଜ ନାୟକ ମଧ୍ୟ ଗିରଫ ହୋଇଥିଲେ । ତାହାପରେ ଯାଇ ବିରୋଧୀ ଦଳ ଶାନ୍ତ ପଡ଼ିଥିଲେ । କିନ୍ତୁ ସେତେବେଳର ସେହି ବିରୋଧୀ ମାନଙ୍କ ହାତରେ ଏବେ ରାଜ୍ୟର ଶାସନ ଡୋର ।  ତେବେ ସ୍ବାସ୍ଥ୍ୟମନ୍ତ୍ରୀ ନିଜ ଦାୟିତ୍ୱ ଠାରୁ ଦୂରେଇ ଯିବାର ଭୁଲ୍ ମାନିବା ସହ ମନ୍ତ୍ରୀପଦରୁ ଇସ୍ତଫା  ଦେବେ କି ?

ଅଧିକ ପଢନ୍ତୁ