ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଅଗ୍ନିଶମ ବିଭାଗ ବିଭିନ୍ନ ମେଡିକାଲରେ ଅଗ୍ନି ନିର୍ବାପକ ବ୍ୟବସ୍ଥାର ଯାଞ୍ଚ କରିଛି ବୋଲି ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ।ଅଗ୍ନିଶମ ବିଭାଗର ମହା ନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ଯେ,”ରାଜ୍ୟ ସରକାର ନ୍ୟାୟିକ ଯାଞ୍ଚର ଆଦେଶ ଦେଇଛନ୍ତି । ପ୍ରଶାସନିକ ସ୍ତରରେ ପ୍ରତିକ୍ରିୟା ରଖିବା ଠିକ୍ ହେବନି । ଆଗାମୀ ଦିନରେ ବିଚାର କରି ଆମେ ରିପୋର୍ଟ ଦେବୁ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଯେତିକି ଅନୁଷ୍ଠାନର ଯାଞ୍ଚ କରିଥିଲୁ, ତାହାର ରିପୋର୍ଟ ରାଜ୍ୟ ସରକାର ଦେଇଥିଲୁ । ପୁର୍ବରୁ ରାଜ୍ୟର ସମସ୍ତ ହସ୍ପିଟାଲ ପାଇଁ ୩୫୦ କୋଟି ଦେଇଥିଲେ । ଆଗାମୀ ବର୍ଷ ପାଇଁ ୪୫୦ କୋଟି ଦେଇଛନ୍ତି । ରାଜ୍ୟରେ ଏଭଳି ଅନେକ ହସ୍ପିଟାଲର ବିଲଡିଂ ରହିଛି ଯାହା ପଚାଶ ବର୍ଷରୁ ସତୁରି ବର୍ଷର । ସେସବୁର ଅଗ୍ନି ସୁରକ୍ଷା ବନ୍ଦୋବସ୍ତ କରାଯିବ । ପିଡବ୍ଲୁଡି ଚିଫ୍, ବିଦ୍ୟୁତ ବିଭାଗର ଇଞ୍ଜିନିୟର ଆସିଥିଲେ । ଯାହା ପଦକ୍ଷେପ ନେବା କଥା ତାହା ଆମେ ନେବୁ,” ବୋଲି କହିଛନ୍ତି ଅଗ୍ନିଶମ ବିଭାଗର ଡିଜି ସୁଧାଂଶୁ ଷଡ଼ଙ୍ଗୀ । ସୂଚନାମୁତାବକ ଆଜି କଟକ ଏସସିବିରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ୧୦ରୁ ଅଧିକ ମୃତ, ଏକାଧିକ ଆହତ । ତେବେ ଏହାରି ମଧ୍ୟରେ ଘଟଣାକୁ ନେଇ ଶୋକପ୍ରକାଶ କରିଛନ୍ତି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଆହୁରି ଅନେକ କେନ୍ଦ୍ରୀୟ ନେତା । ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି ରାଜ୍ୟର ବରିଷ୍ଠ ନେତାଙ୍କ ସମେତ ଜାତୀୟ ସ୍ତରୀୟ ନେତା ।ଯେଉଁ ୱାର୍ଡରେ ନିଆଁ ଲାଗିଥିଲା, ସେଠାରେ ସେହି ସମୟରେ ପ୍ରାୟ ୨୨ ଜଣ ରୋଗୀ ଚିକିତ୍ସିତ ହେଉଥିଲେ । ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ରୋଗୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ସମୟ ମିଳିନଥିଲା । ଫଳରେ ଅଧିକାଂଶ ରୋଗୀ ଶ୍ୱାସରୁଦ୍ଧ ହୋଇ ଏବଂ ନିଆଁରେ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି ।
