କଟକ ଏସସିବି ଅଗ୍ନିକାଣ୍ଡ: ୧୨କୁ ବଢ଼ିଲା ମୃତ୍ୟୁସଂଖ୍ୟା

କଟକ ଏସସିବି ଅଗ୍ନିକାଣ୍ଡର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅବସରପ୍ରାପ୍ତ ବିଚାରପତି ଲକ୍ଷ୍ମୀଧର ବିଶ୍ବାଳଙ୍କୁ ବିଚାରବିଭାଗୀୟ ତଦନ୍ତ ଦାୟିତ୍ବ ଦିଆଯାଇଛି । ଘଟଣାର ତଦନ୍ତ କରି ୧୫ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି । ସୂଚନାମୁତାବକ ରବିବାର ବିଳମ୍ବିତ ରାତିରେ ଏସ୍ସିବି ଟ୍ରମା ଆଇସିୟୁରେ ନିଆଁ ଲାଗି ୧୨ ଜଣ ରୋଗୀଙ୍କର ଶୋଚନୀୟ ମୃତ୍ୟୁ ହୋଇଛି । ଅଗ୍ନିକାଣ୍ଡରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଅଘଟଣ ପରେ ଟ୍ରମା ଆଇସିୟୁରୁ ସ୍ଥାନାନ୍ତରିତ ୪ ଗୁରୁତରଙ୍କୁ ପ୍ରଥମେ ନ୍ୟୁ ମେଡିସିନ୍ ଆଇସିୟୁରେ ଚିକିତ୍ସା କରାଯିବା ପରେ ବିଳମ୍ବିତ ସନ୍ଧ୍ୟାରେ ୩ ଜଣଙ୍କୁ ନ୍ୟୁରୋ ସର୍ଜରୀ ଆଇସିୟୁ ଓ ଅନ୍ୟ ଜଣଙ୍କୁ ଅର୍ଥୋପେଡିକ୍ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି । ସେମାନଙ୍କ ଚିକିତ୍ସା ପାଇଁ ଏସ୍‌ସିବି କର୍ତ୍ତୃପକ୍ଷ ସ୍ୱତନ୍ତ୍ର ମେଡିକାଲ୍ ଟିମ୍ ଗଠନ କରିଛନ୍ତି ଓ ବିଭିନ୍ନ ବିଭାଗର ବିଶେଷଜ୍ଞ ମିଳିତ ଭାବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛନ୍ତି ।ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ମିଳିଥିବା ବିବରଣୀ ମୁତାବକ, ରବିବାର ବିଳମ୍ବିତ ରାତି ପ୍ରାୟ ୩ଟା ବେଳକୁ ଏସ୍ସିବି ଟ୍ରମା ଆଇସିୟୁରେ ନିଆଁ ଲାଗିଥିଲା । ଦେଖୁଦେଖୁ ନିଆଁ ସାରା ଆଇସିୟୁରେ ଖେଳିଯାଇଥିଲା । ସେଠାରେ ୧୫ଜଣ ରୋଗୀ ଚିକିତ୍ସିତ ହେଉଥିଲେ । ସମସ୍ତଙ୍କ ଦେହରେ ଭେଣ୍ଟିଲେଟର୍, ଅକ୍ସିଜେନ୍, ସାଲାଇନ୍ ଆଦି ଲାଗିଥିଲା । ସେମାନେ ନିଜେ ଉଠିବା ସ୍ଥିତିରେ ନଥିଲେ । ନିଆଁ ଓ ଧୂଆଁ ଏତେ ଅଧିକ ଥିଲା ଯେ ଆଇସିୟୁ ଭିତରକୁ କେହି ପଶିବା ବି କଷ୍ଟକର ହୋଇଯାଇଥିଲା । ଫଳରେ ଆଇସିୟୁ ଭିତରେ ହିଁ ୭ଜଣଙ୍କ ଜୀବନ ଚାଲିଯାଇଥିଲା । ନିଆଁ ଲିଭାଯିବା ପରେ ଏସ୍‌ସିବିର ନ୍ୟୁ ମେଡିସିନ୍ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିବା ରୋଗୀଙ୍କ ଭିତରୁ ୫ଜଣ ସେଠାରେ ଆଖି ବୁଜିଥିଲେ ।ହସ୍ପିଟାଲ ପକ୍ଷରୁ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଅଭାବ ଓ ଅବହେଳା ଯୋଗୁଁ ଏହି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଉଦ୍ଧାର କାର୍ଯ୍ୟ ସମୟରେ ସ୍ପ୍ରିଙ୍କଲର ସମୟରେ କାମ ନକରିବାରୁ ଅଗ୍ନି ନିର୍ବାପନ କାର୍ଯ୍ୟ ବିଳମ୍ବ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି । ଏହା ମାନବାଧିକାରର ଗୁରୁତର ଉଲ୍ଲଙ୍ଘନ ବୋଲି ଉଲ୍ଲେଖ କରି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।

ଅଧିକ ପଢନ୍ତୁ