ନନ୍ଦନକାନନରେ ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ଆସିବେ ୧୮ ଜୀବଜନ୍ତୁ

ନନ୍ଦନକାନନ ପ୍ରାଣୀଉଦ୍ୟାନ ପାଇଁ ଖୁସି ଖବର । ପ୍ରାଣୀଉଦ୍ୟାନର ଶାଗୁଣା ପ୍ରଜନନ କେନ୍ଦ୍ରରେ ଏକ ଲମ୍ବା ଥଣ୍ଟିଆ ଶାଗୁଣା ଛୁଆ ଜନ୍ମ ନେଇଛି । ଚଳିତ ମାସ ୧୧ ତାରିଖରେ ଅଣ୍ଡାରୁ ଛୁଆଟି ସଫଳତାର ସହ ଫୁଟି ବାହାରିଥିଲା । କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅଧିନରେ ୨୦୧୨ରେ ଏହି ଶାଗୁଣା ପ୍ରଜନନ କେନ୍ଦ୍ର ପ୍ରତିଷ୍ଠା କରଯାଇଥିଲା । ଜାନୁଆରୀ ୧୬ ତାରିଖରେ ଶାଗୁଣା ଅଣ୍ଡା ଦେଇଥିଲା । ପରେ ତାହା ମାର୍ଚ୍ଚ ୧୧ରେ ଅଣ୍ଡାରୁ ଛୁଆ ବାହାରିଥିଲା । ଛୁଆଟି ବର୍ତ୍ତମାନ୍ ସୁସ୍ଥ ଅଛି । ଛୁଆଟିକୁ ୨୪ ଘଣ୍ଟିଆ ସିସିଟିଭି ନଜରରେ ରଖାଯାଇଛି । ଏହି ଶାଗୁଣା ଜନ୍ମ ହେବା ପରେ ନନ୍ଦନକାନନରେ ଲମ୍ବା ଥଣ୍ଟିଆ ଶାଗୁଣା ସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ଅନ୍ୟପଟେ ନନ୍ଦନକାନନ ପ୍ରାଣୀଉଦ୍ୟାନ ପକ୍ଷରୁ ପୁଣି ଏକ ଜନ୍ତୁ ଅଦଳ ବଦଳ ପ୍ରକ୍ରିୟା ଆରମ୍ଭ ହୋଇଛି । କେନ୍ଦ୍ରୀୟ ଚିଡ଼ିଆଖାନା ଅନୁମତି କ୍ରମେ ଆସନ୍ତା ୧୯ ତାରିଖରେ ନନ୍ଦନକାନନର ଏକ ଟିମ ଜନ୍ତୁ ଆଣିବା ପାଇଁ ଗୁଜୁରାଟ ଜୁନାଗଡ଼ର ସକରବାଗ୍‌ ଚିଡ଼ିଆଖାନାକୁ ଯାଉଛନ୍ତି । ଏହି ଅଦଳବଦଳ ପ୍ରକ୍ରିୟାରେ ନନ୍ଦନକାନନ ୩ ପ୍ରଜାତିର ୭ଟି ଜୀବଜନ୍ତୁ ଦେଉଥିବାବେଳେ ସକରବାଗ୍‌ ଚିଡ଼ିଆଖାନାରୁ ୩ ପ୍ରଜାତିର ୧୮ଟି ଜୀବଜନ୍ତୁ ଆଣିବ । ଆଣୁଥିବା ଜନ୍ତୁମାନଙ୍କ ମଧ୍ୟରେ ଦୁଇ ଯୋଡ଼ା କଲରାପତରିଆ ବାଘ, ଦୁଇ ଯୋଡ଼ା ଡେମୋଇସେଲ କ୍ରେନ ଓ ୫ ଯୋଡ଼ା ଜଙ୍ଗଲୀ ନାଲି କୁକୁଡ଼ା ଅଛନ୍ତି । ସେହିପରି ପ୍ରତିବଦଳରେ ଗୋଟିଏ ଅଣ୍ଡିରା ଓଟପକ୍ଷୀ, ୩ଟି କୁଜି ହରିଣ ଓ ୩ଟି ଚଉଶିଙ୍ଗା ଯିବେ । ନନ୍ଦନକାନନ ଏହି ଅଦଳବଦଳ ପ୍ରକ୍ରିୟାରେ ଗୋଟିଏ ନୂଆ ପକ୍ଷୀ ଡେମୋଇସେଲ କ୍ରେନ ଆଣୁଥିବା ବେଳେ ଅନ୍ୟ ଜୀବଜନ୍ତୁମାନଙ୍କୁ ରକ୍ତ ସମ୍ପର୍କ ପରିବର୍ତ୍ତନ ପାଇଁ ଆଣୁଛି । ଫଳରେ ନନ୍ଦନକାନନରେ ଥିବା ସେହି ପ୍ରଜାତୀର ଜନ୍ତୁମାନଙ୍କ ସହିତ ମିଳନ କରାଇ ସୁସ୍ଥ ଜନ୍ତୁ ପାଇପାରିବ ।

ଅଧିକ ପଢନ୍ତୁ