ଏସସିବି ଅଗ୍ନିକାଣ୍ଡକୁ ନେଇ ଉଠୁଛି ପଡ଼ୁଛି ରାଜ୍ୟ ରାଜନୀତି। ଏହି ଘଟଣାକୁ ନେଇ ଗୃହ ମଧ୍ୟ ଭାଗରେ ବିରୋଧୀଙ୍କ ନାରାବାଜି। ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିରୋଧୀଙ୍କ ହଲ୍ଲାବୋଲ। ଏସସିବି ନିଆଁ ତାତିରେ ଗୃହ ହୁଲୁସ୍ତୁଲୁ।ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ନାରାବାଜି ଆରମ୍ଭ ହୋଇଥିଲା । ଏହି କାରଣରୁ ସାଢ଼େ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ସୁରମା ପାଢ଼ୀ । ସେହିପରି ଗତକାଲି ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କଟକ SCB ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦାବି କରିଥିଲେ । ସରକାରଙ୍କ ଅପାରଗତାରୁ ନିଆଁ ଲାଗିଥିବା କହିଥିଲେ ନବୀନ । ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏସସିବି ଅଗ୍ନିକାଣ୍ଡ ନେଇ ବିବୃତି ରଖିଥିଲେ । କହିଛନ୍ତି ପ୍ରାଶାସନିକ ଅବହେଳା ଯୋଗୁ ଏତେବଡ଼ ଅଘଟଣ ଘଟିଛି । ନୈତିକତା ଦୃଷ୍ଟିରୁ ସ୍ବାସ୍ଥ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ।ସେପଟେ ବିଧାନସଭା ମୁଲତବୀ ପରେ ବିଜେଡି ଓ କଂଗ୍ରେସ ବିଧାୟକମାନେ କୋକେଇ ଶୋଭାଯାତ୍ରା କରିଛନ୍ତି। । ରାଜ୍ୟରେ ସ୍ଵାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ଭୁଶୁଡ଼ି ଯାଇଥିବା ବିରୋଧୀ ଅଭିଯୋଗ କରିଛି। ଅପରେସନ ସକ୍ସସେସଫୁଲ୍ ପେସେଣ୍ଟ ଡେଥ୍। ଆୟୁଷ୍ମାନ ଯୋଜନା ନୁହେଁ ତ ଶ୍ମଶାନ ଯୋଜନା କହି ବିଜେଡି ବିଧାୟକ ଅରୁଣ ସାହୁ ସରକାରଙ୍କୁ କଟାକ୍ଷ କରିଛନ୍ତି। ସ୍ଵାସ୍ଥ୍ୟ ବିଭାଗ ଏବେ ଲୋକଙ୍କ ମରିଯାଇଛି ବୋଲି ବିରୋଧୀ ଅଭିଯୋଗ ଆଣିଛନ୍ତି।
