ଇରାନର ସର୍ବବୃହତ ଦକ୍ଷିଣ ପାର୍ସ ଗ୍ୟାସ୍ ଫିଲ୍ଡ ଉପରେ ସମ୍ପ୍ରତି ଆକ୍ରମଣ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି କରିଛି । ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ ଆମେରିକା ଏହି ଆକ୍ରମଣରେ ସାମିଲ ନଥିଲା। ଏପରି କହି ଟ୍ରମ୍ପ ଆକ୍ରମଣରୁ ନିଜକୁ ଅଲଗା କରି ଦୂରେଇ ରଖିଛନ୍ତି। ଅନ୍ୟପଟେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଚେତାବନୀ ଦେଇଛନ୍ତି ଯେ ଯଦି ତେହେରାନ କତାରର ତରଳ ପ୍ରାକୃତିକ ଗ୍ୟାସ (LNG) ଭିତ୍ତିଭୂମି ଉପରେ ଆହୁରି ଆକ୍ରମଣ କରେ, ତେବେ ୱାଶିଂଟନ୍ ଦକ୍ଷିଣ ପାର୍ସ ଗ୍ୟାସ କ୍ଷେତ୍ର ଉପରେ ବ୍ୟାପକ ଆକ୍ରମଣ କରିପାରେ।
ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟରେ ଟ୍ରମ୍ପ କହିଛନ୍ତି ଯେ ସେ ଏପରି ଧ୍ୱଂସକୁ ଅନୁମତି ଦେବାକୁ ଚାହାଁନ୍ତି ନାହିଁ, କିନ୍ତୁ ଯଦି କତାରର LNG ସୁବିଧାଗୁଡ଼ିକୁ ପୁଣି ଟାର୍ଗେଟ କରାଯାଏ ତେବେ ଆମେରିକା ଏକୁଟିଆ କିମ୍ବା ଇସ୍ରାଏଲ ସମର୍ଥନରେ ଦକ୍ଷିଣ ପାର୍ସ ଗ୍ୟାସ୍ କ୍ଷେତ୍ରକୁ ପୂର୍ଣ୍ଣ ଶକ୍ତି ସହିତ ଧ୍ୱଂସ କରିବାକୁ ପଛାଇବ ନାହିଁ। ।ଆମେରିକା ରାଷ୍ଟ୍ରପତି କହିଛନ୍ତି, “ମୁଁ ଏହି ସ୍ତରର ହିଂସାକୁ ଅନୁମତି ଦେବାକୁ ଚାହେଁ ନାହିଁ କାରଣ ଏହା ଇରାନର ଭବିଷ୍ୟତ ଉପରେ ବହୁତ ନକାରାତ୍ମକ ପ୍ରଭାବ ପକାଇବ; କିନ୍ତୁ, ଯଦି କତାରର LNG ସୁବିଧାଗୁଡ଼ିକ ଉପରେ ପୁଣି ଆକ୍ରମଣ ହୁଏ, ତେବେ ମୁଁ ଏହା କରିବାକୁ ସଂକୋଚ କରିବି ନାହିଁ।”
