Scb tragedy: ତଳିଆ କର୍ମଚାରୀଙ୍କୁ ହଟାଇ ଖସିଯିବାକୁ ଚେଷ୍ଟା କରୁଛି ସରକାର -ସଂତୃପ୍ତ ମିଶ୍ର

ଏସସିବି ମେଡିକାଲ ପରିଚାଳନାର ଉତ୍ତର ଦାୟିତ୍ୱ କାହାର ? ଏ ପ୍ରଶ୍ନ କରିଛନ୍ତି ନବ ନିର୍ବାଚିତ ସାଂସଦ ଡଃ ସଂତୃପ୍ତ ମିଶ୍ର । ସେ କହିଛନ୍ତି କେବଳ କିଛି ତଳିଆ କର୍ମଚାରୀ ଅବା ଅଧିକାରୀଙ୍କୁ ସସ୍ପେଣ୍ଡ କରି ସରକାର ନିଜ ମୁଣ୍ଡରୁ ଦାୟିତ୍ୱ ହଟାଇ ପାରିବେ ନାହିଁ | ବିଧାନସଭାରେ ବିଜେଡି ସରକାରଙ୍କୁ ଘେରିବା ପରେ ସରକାର ଏଭଳି ତରବରିଆ ପଦକ୍ଷେପ ନେଇଛନ୍ତି। କିନ୍ତୁ ସ୍ୱାସ୍ଥ୍ୟ ମନ୍ତ୍ରୀ, ସଚିବ କିମ୍ବା ଏସସିବି ଅଧିକ୍ଷକ କାହିଁକି ଉତ୍ତରଦାୟୀ ହେବେନାହିଁ ବୋଲି ସଂତୃପ୍ତ ପ୍ରଶ୍ନ କରିଛନ୍ତି। SCB ପରିଚାଳନା ପାଇଁ ଯୋଗ୍ୟ ବ୍ୟକ୍ତିଙ୍କୁ ଦାୟିତ୍ୱ ଦିଆଯାଉ। ସମ୍ପୂର୍ଣ୍ଣ ମେଡିକାଲର ବିଦ୍ୟୁତ ବ୍ୟବସ୍ଥାରେ ସୁଧାର ଆଣିବା ଏବଂ ସମସ୍ତ ଅନୁସଙ୍ଗିକ କାର୍ଯ୍ୟକୁ ନିଷ୍ଠାର ସହିତ କରାଯାଉ ବୋଲି କହିଛନ୍ତି ସାଂସଦ ସଂତୃପ୍ତ ମିଶ୍ର। ସୂଚନାମୁତାବକ ଅଗ୍ନି ଦୁର୍ଘଟଣାର 2 ଦିନ ପରେ କାର୍ଯ୍ୟରେ ଅବହେଳା ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଚାରି ଜଣ ଅଧିକାରୀଙ୍କୁ ନିଲମ୍ୱିତ କରାଯାଇଛି । ସେମାନେ ହେଲେ, କଟକ ସର୍କଲର ଡେପୁଟି ଫାୟାର ଅଫିସର ପ୍ରକାଶ କୁମାର ଜେନା, କଟକ ସର୍କଲର ଆସିଷ୍ଟାଣ୍ଟ ଫାୟାର ଅଫିସର ସଞ୍ଜୀବ କୁମାର ବେହେରା, ଏସ୍.ସି.ବି ମେଡିକାଲ ଓ ହସ୍‌ପିଟାଲର ଷ୍ଟେସନ ଅଫିସର ଅଭିନବ ପୃଷ୍ଟି ଏବଂ କଟକ ଜିଇଡି ଅନ୍ତର୍ଗତ ଏସସିବି ସବ୍‌-ଡିଭିଜନର ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ ଇଞ୍ଜିନିଅର ରଞ୍ଜନ କୁମାର ବିଶ୍ୱାଳ ।କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଗତ ୧୬ ତାରିଖ ଦିନ ହୋଇଥିବା ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ଅନେକ ଜୀବନ ନଷ୍ଟ ହେବା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

ଅଧିକ ପଢନ୍ତୁ