ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ରୋକିବା ପାଇଁ ଟ୍ରମ୍ପ ପ୍ରଶାସନର ୧୫-ପଏଣ୍ଟ ଶାନ୍ତି ଯୋଜନା ପ୍ରସ୍ତାବ । ଯୁଦ୍ଧ ବନ୍ଦ ପାଇଁ ପାକିସ୍ତାନ ଜରିଆରେ ପଠାଗଲା ଚିଠା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଏକ ମାସ ପାଇଁ ଯୁଦ୍ଧ ବିରତି କରିବାକୁ ଏବଂ ୧୫ଟି ସର୍ତ୍ତ ଉପରେ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛନ୍ତି । ପାକିସ୍ତାନ ମାଧ୍ୟମରେ ଏହି ପ୍ରସ୍ତାବ ତେହେରାନ ପାଖକୁ ପଠାଯାଇଛି ।ଇରାନ ପାଇଁ ମୁଖ୍ୟ ସର୍ତ୍ତଗୁଡ଼ିକ ମଧ୍ୟରେ ରହିଛି ପରମାଣୁ କାର୍ଯ୍ୟକ୍ରମ ବନ୍ଦ କରିବା । ଇରାନ ନିଜର ସମସ୍ତ ପରମାଣୁ କ୍ଷମତାକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିବ ଏବଂ ଭବିଷ୍ୟତରେ କେବେ ବି ପରମାଣୁ ବୋମା ତିଆରି କରିବ ନାହିଁ । ଇରାନ ପାଖରେ ଥିବା ପ୍ରାୟ ୪୫୦ କିଲୋଗ୍ରାମର ସମୃଦ୍ଧ ୟୁରାନିୟମ ଜାତିସଂଘର ପରମାଣୁ ସଂସ୍ଥା IAEA କୁ ହସ୍ତାନ୍ତର କରିବ । ଇରାନର ମିସାଇଲ୍ କ୍ଷମତା ଏବଂ ଏହାର ଦୂରତା ଉପରେ ସୀମା ଧାର୍ଯ୍ୟ କରାଯିବ। ହିଜବୁଲ୍ଲା ଏବଂ ହାମାସ ଭଳି ସଂଗଠନକୁ ଇରାନ ଆଉ ଅସ୍ତ୍ରଶସ୍ତ୍ର କିମ୍ବା ଟଙ୍କା ଦେବନାହିଁ । ‘ହରମୁଜ ପ୍ରଣାଳୀ’ ଦେଇ ବାଣିଜ୍ୟିକ ଜାହାଜ ଚଳାଚଳକୁ ଇରାନ କେବେ ବି ବାଧା ଦେବନାହିଁ ।
ପ୍ରତି ବଦଳରେ ଇରାନ ପ୍ରତିବନ୍ଧକରୁ ମୁକ୍ତି ମିଳିବ । ଇରାନ ଉପରୁ ସମସ୍ତ ଆନ୍ତର୍ଜାତୀୟ ଏବଂ ଆମେରିକୀୟ ଆର୍ଥିକ ପ୍ରତିବନ୍ଧକ ହଟାଇ ଦିଆଯିବ। ଏହାସହ ମିଳିବ ବୈଦ୍ୟୁତିକ ଶକ୍ତି ପାଇଁ ସହାୟତା । କେବଳ ଶାନ୍ତିପୂର୍ଣ୍ଣ କାର୍ଯ୍ୟ ଏବଂ ବିଜୁଳି ଉତ୍ପାଦନ ପାଇଁ ପରମାଣୁ କେନ୍ଦ୍ର ଚଳାଇବାକୁ ଆମେରିକା ସାହାଯ୍ୟ କରିବ । ଭବିଷ୍ୟତରେ ଇରାନ ଉପରେ କୌଣସି ଆକ୍ରମଣ କରାଯିବ ନାହିଁ ବୋଲି ଆମେରିକା ପ୍ରତିଶ୍ରୁତି ଦେବ । କେବଳ ସେତିକି ନୁହଁ, ଆମେରିକା ମଧ୍ୟପ୍ରାଚ୍ୟରୁ ନିଜର ପ୍ରାୟ ୫୦,୦୦୦ ସୈନ୍ୟଙ୍କୁ ହଟାଇବା ନେଇ ବିଚାର କରିପାରେ । ଏକ ନୂତନ ରିପୋର୍ଟ ଅନୁଯାୟୀ, ଇରାନ ପରୋକ୍ଷ ଭାବେ ଆମେରିକାକୁ ଏକ ବାର୍ତ୍ତା ପଠାଇଛି ଯେ, ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ସହ ଆଲୋଚନା କରିବାକୁ ଚାହୁଁଛି। ଇରାନ କହିଛି, ଷ୍ଟିଭ୍ ୱିଟକଫ ଏବଂ ଜାରେଡ୍ କୁଶନରଙ୍କ ଉପରେ ଆମର ବିଶ୍ୱାସ ନାହିଁ। ଏକ ରିପୋର୍ଟ ଅନୁଯାୟୀ, ଇରାନୀ ପ୍ରତିନିଧିମାନେ ବୁଧବାର ଟ୍ରମ୍ପ ପ୍ରଶାସନକୁ କହିଛନ୍ତି ଯେ, ସେମାନେ ଆମେରିକୀୟ ରାଷ୍ଟ୍ରଦୂତ ଷ୍ଟିଭ ୱିଟକଫ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ଜ୍ୱାଇଁ ଜାରେଡ କୁଶନରଙ୍କ ସହ ଆଲୋଚନା ପୁଣି ଆରମ୍ଭ କରିବାକୁ ଚାହୁଁନାହାନ୍ତି। ଇରାନ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ସହ ଆଲୋଚନା କରିବାକୁ ଜିଦ୍ ଧରିଛି।ରିପୋର୍ଟରେ କୁହାଯାଇଛି, ଇରାନ ବିଶ୍ୱାସ କରେ ଯେ ୱିଟକଫ ଏବଂ କୁଶନରଙ୍କ ସହିତ ଆଲୋଚନା ନିଷ୍ଫଳ ହେବ। କାରଣ ସାମରିକ କାର୍ୟ୍ୟାନୁଷ୍ଠାନ ପୂର୍ବରୁ ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଆଲୋଚନା ବିଫଳ ହେବା ପରେ ବିଶ୍ୱାସ ତୁଟି ଯାଇଛି। ୱିଟକଫ, କୁଶନର ଏବଂ ବିଦେଶ ସଚିବ ମାର୍କୋ ରୁବିଓଙ୍କ ତୁଳନାରେ ଜେ.ଡି. ଭାନ୍ସ ଯୁଦ୍ଧ ସମାପ୍ତ କରିବା ପାଇଁ ଅଧିକ ଗମ୍ଭୀର ମନେ ହେଉଛନ୍ତି। ଇରାନ ବିଶ୍ୱାସ କରେ ଯେ ଆମେରିକାର ଉପରାଷ୍ଟ୍ରପତି ଯଥାଶୀଘ୍ର ସମ୍ଭବ ଏହି ଅଚଳାବସ୍ଥାର ସମାଧାନ କରିବାକୁ ଇଚ୍ଛୁକ ଅଛନ୍ତି।
