ବିଜୁ ବାବୁଙ୍କ ବିରୋଧରେ ଅପମାନଜନଜ ମନ୍ତବ୍ୟ ପାଇଁ ପଦ ଛାଡ଼ିଲେ ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ପ୍ରତିବାଦରେ ସସ୍ମିତ ଏହି ପଦକ୍ଷେପ ଗ୍ରହଣ କରି ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି କମିଟି ସଦସ୍ୟ ପଦ ଛାଡ଼ିଛନ୍ତି। କାରଣ ନିଶିକାନ୍ତ ଦୁବେ ଏହି କମିଟିର ଅଧ୍ୟକ୍ଷ ଅଛନ୍ତି। ରାଜ୍ୟସଭା ଅଧ୍ୟକ୍ଷଙ୍କ ପାଖକୁ ରବିବାର ନିଜର ଇସ୍ତଫା ପତ୍ର ପଠାଇଛନ୍ତି। ସୂଚନାମୁତାବକ ବିଜେପି ସାଂସଦ ନିଶିକାନ୍ତ ଦୁବେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବିରୋଧରେ ଦେଇଛନ୍ତି ବିବାଦୀୟ ବୟାନ। ନିଶିକାନ୍ତ ଦାବି କରିଛନ୍ତି ବିଜୁ ପଟ୍ଟନାୟକ, ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ଆମେରିକୀୟ ଗୁପ୍ତଚର ସଂସ୍ଥା ସିଆଇଏ ମଧ୍ୟରେ ଯୋଗସୂତ୍ର ରଖୁଥିଲେ।
୧୯୬୨ ମସିହା ଚୀନ ଯୁଦ୍ଧ ବେଳେ ତତ୍କାଳୀନ ନେହେରୁ ସରକାର ଏବଂ CIA ମଧ୍ୟରେ ବିଜୁ ବାବୁ ମଧ୍ୟସ୍ଥି ସାଜିଥିଲେ ବୋଲି ଦୁବେ ଅଭିଯୋଗ କରିଛନ୍ତି। ଭାରତ ଆମେରିକା ଟଙ୍କାରେ ଚୀନ ବିରୋଧରେ ଲଢିଥିଲା। ସେହିପରି ବିଜୁ ବାବୁଙ୍କ ସହଯୋଗରେ କଟକର ଚାରବାଟିଆ ଏୟାରବେସରେ ସିଆଇଏର ଗୁପ୍ତଚର ବିମାନ ଅବତରଣ ଓ ଉଡାଣ ଭରୁଥିଲା।ଏହାସହିତ ୧୯୬୪ ମସିହାରେ ନନ୍ଦାଦେବୀ ପାହାଡ଼ରେ ଆମେରିକା ସାହାଯ୍ୟରେ ସର୍ଭେଲାନ୍ସ ଯନ୍ତ୍ର ଲଗାଇବା ପଛରେ ବିଜୁ ପଟ୍ଟନାୟକଙ୍କ ଭୂମିକା ଥିଲା ବୋଲି ନିଶିକାନ୍ତ ଅଭିଯୋଗ ଆଣିଛନ୍ତି। ତେବେ ବିଜେଡି ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ନିଶିକାନ୍ତଙ୍କ ମନ୍ତବ୍ୟ ଅପମାନଜନକ, ମିଥ୍ୟା ଓ ଆଧାରହୀନ। ବିଜୁ ବାବୁ ଜଣେ ଆନ୍ତର୍ଜାତିକସ୍ତରର ବିଶିଷ୍ଟ ବ୍ୟକ୍ତିତ୍ୱ, କିମ୍ବଦନ୍ତୀ ପୁରୁଷ ଥିଲେ। ଭାରତର ବିଶ୍ୱ କୂଟନୀତି ନିଶ୍ଚିତ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ଇଣ୍ଡୋନେସିଆ ସ୍ୱାଧୀନତା ସଂଗ୍ରାମୀଙ୍କୁ ଉଦ୍ଧାର କରିବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ରୁଷିୟମାନଙ୍କୁ ସମର୍ଥନ କରିବାରେ ତାଙ୍କର ଉଲ୍ଲେଖନୀୟ ଭୂମିକା ଥିଲା।
