ଏଣିକି ପେଟ୍ରୋଲ୍‌ ପମ୍ପରେ ମିଳିବ କିରୋସିନ୍‌

ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ଯୋଗୁଁ ତୈଳ ଓ ଗ୍ୟାସର ବିଶ୍ୱସ୍ତରର ପରିବହନ ବାଧାପ୍ରାପ୍ତ ହୋଇଛି। ଯେଉଁଥିରେ ବିଶ୍ୱର ଅନେକ ଦେଶ ଇନ୍ଧନ ସମସ୍ୟାରେ ପଡ଼ିଛନ୍ତି। ଭାରତକୁ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ଏପରି ସଂକଟର ମୁକାବିଲା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ଉଠାଇଛନ୍ତି । ଏହି ପରିପ୍ରେକ୍ଷୀରେ ସରକାର ଏବେ ପେଟ୍ରୋଲିୟମ ସୁରକ୍ଷା ଏବଂ ଲାଇସେନ୍ସ ନିୟମକୁ କୋହଳ କରିଛନ୍ତି, ଯାହାଦ୍ୱାରା କିରାସିନ ଘରେ ଘରେ ସହଜରେ ପହଞ୍ଚିପାରିବ। କେନ୍ଦ୍ର ସରକାରଙ୍କ ଗେଜେଟ୍ ବିଜ୍ଞପ୍ତି ଅନୁସାରେ, ସାଧାରଣ ଲୋକେ ଯେପରି ଇନ୍ଧନ ଅଭାବର ସମ୍ମୁଖୀନ ନହୁଅନ୍ତି, ସେଥିପାଇଁ ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସାଧାରଣ ବଣ୍ଟନ ବ୍ୟବସ୍ଥା ଅନ୍ତର୍ଗତ କିରାସିନ ତେଲ ବିକ୍ରିକୁ ୬୦ ଦିନ ବଢ଼ାଇଛି ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ।ଉକ୍ତ ପରିବର୍ତ୍ତନ ଅନୁସାରେ, ସାର୍ବଜନିକ କ୍ଷେତ୍ରର ଅଏଲ ମାର୍କେଟିଂ କମ୍ପାନୀଗୁଡ଼ିକ ଦ୍ୱାରା ପରିଚାଳିଚ ବଛା ବଛା ପେଟ୍ରୋଲ ପମ୍ପକୁ କିରୋସିନ ଷ୍ଟୋର ଓ ବିତରଣ କରିବାର ଅନୁମତି ଦିଆଯାଇଛି। ପ୍ରତ୍ୟେକ ମନୋନୀତ ଆଉଟଲେଟ୍ ସର୍ବାଧିକ ଭାବେ ୫ହଜାର ଲିଟର ଯାଏ କିରୋସିନ ରଖି ପାରିବେ ଏବଂ ପ୍ରତି ଜିଲ୍ଲାରେ ସର୍ବାଧିକ ଦୁଇଟି ପେଟ୍ରୋଲ ପମ୍ପକୁ ଏଥିପାଇଁ ନାମିତ କରାଯିବ।

ବିଜ୍ଞପ୍ତିରେ ଏହା ମଧ୍ୟ କୁହାଯାଇଛି ଯେ, କିରୋସିନର ଷ୍ଟୋରେଜ , ଟ୍ରାନ୍ସପୋର୍ଟେସନ ଓ ଡିଷ୍ଟ୍ରିବ୍ୟୁସନ ସହ ଜଡ଼ି ଡିଲର ଓ ଗାଡ଼ିକୁ ପେଟ୍ରୋଲିୟମ ରୁମ୍ , ୨୦୦୨ର କିଛି ଲାଇସେନ୍ସିଂ ପ୍ରାବଧାନରୁ ଛାଡ଼ କରାଯାଇଛି ,ଯାହାକି ସପ୍ଲାଇ ଚେନ୍କୁ ଗତିଶୀଳ କରାଯାଇ ପାରିବ ଏବଂ ଶେଷ ଯାଏ ବଣ୍ଟନ ସୁନିଶ୍ଚିତ ହୋଇ ପାରିବ। ହେଲେ ସରକାର ସ୍ପଷ୍ଟ କରିଛନ୍ତି ଯେ, କିରୋସିନର ଯୋଗାଣ କେବଳ ଘରୋଇ ଉପଭୋଗ-ଯେମିତି ଖାଦ୍ୟ ରୋଷେଇ କରିବା ଏବଂ ଆଲୋକ ପାଇଁ ହିଁ କରାଯିବ ,ଯାହାକି ଦୁରୁପଯୋଗକୁ ରୋକାଯାଇ ପାରିବ।

ଅଧିକ ପଢନ୍ତୁ