ହୋଲସେଲ୍ ବଜାରରେ ଆଳୁ ଏବେ ବେଶ୍ ଶସ୍ତା। ୫୦ କେଜି ଆଳୁର ଦର ୨୫୦ରୁ ୩୦୦ ଟଙ୍କା ଭିତରେ। ଅର୍ଥାତ କିଲୋ ପ୍ରତି ହୋଲସେଲ୍ ଦର ମାତ୍ର ୫ରୁ ୬ ଟଙ୍କା। କିନ୍ତୁ ଖୁଚୁରା ବଜାରରେ ଗ୍ରାହକ କିଣୁଛନ୍ତି ୧୨ରୁ ୧୭ ଟଙ୍କାରେ। ତେଣୁ ପ୍ରଶ୍ନ ଉଠୁଛି, ଆଳୁର ହୋଲସେଲ୍ ଓ ଖୁଚୁରା ଦର ଭିତରେ ଏତେ ଫରକ କାହିଁକି ? ସେପଟେ ଆଳୁ ଦର ବୃଦ୍ଧି ନେଇ ଗ୍ରାହକ କହୁଛନ୍ତି ଯେ, ଆଳୁ ଗଦିରେ ଏତେ ରେଟ୍ କମିଛି ବୋଲି ଜାଣି ନାହାନ୍ତି। ଦୋକାନୀ କମ୍ ରେଟରେ କିଣି ୧୫-୧୬ ଟଙ୍କା ଲାଭ ରଖି ଜାଣିଶୁଣି ବିକ୍ରି କରୁଛନ୍ତି। ଦୋକାନୀ ବି ସଚ୍ଚୋଟ ପଣିଆ ଦେଖାଇ ଗ୍ରାହକଙ୍କୁ ଲୁଟୁଛନ୍ତି । ଯୋଗାଣ ବିଭାଗ ସ୍ଥାଣୁ ଓ ନିଷ୍କ୍ରିୟ ପାଲଟିଛି। ଯୋଗାଣ ବିଭାଗର ଅଧିକାରୀମାନେ ଚଢାଉ ନକରିବା ଲାଗି ଏପରି ଭାବେ ମନଇଛା ରେଟ୍ ବଢାଉଛନ୍ତି ଦୋକାନୀ ।ରାଜଧାନୀର ସବୁଠୁ ବଡ଼ ଆଳୁ ଗୋଦାମ୍ ଆଇଗିଣିଆ ଆଳୁ ଗଦି। ଏଠାରେ ଆଜି ଆଳୁର ବସ୍ତା ପ୍ରତି ହୋଲସେଲ ଦର ୨୨୦ରୁ ୨୬୦ ଟଙ୍କା ମଧ୍ୟରେ ରହିଛି। ଅର୍ଥାତ କିଲୋ ପିଛା ରେଟ୍ ମାତ୍ର ୪ଟଙ୍କା ୪୦ ପଇସାରୁ ୫ ଟଙ୍କା ୨୦ ପଇସା। ସେପଟେ ଖୁଚୁରା ବ୍ୟବସାୟୀଙ୍କ କହିବା କଥା, ୫୦ କିଲୋଗ୍ରାମ୍ ଆଳୁ ବସ୍ତା କିଣିବା ପରେ ଖୁଚୁରାରେ ବିକିଲେ ୪ରୁ ୫ କିଲୋ କମି ଯାଇଥାଏ। ବସ୍ତାରେ କିଛି ଆଳୁର ସାଇଜ ଛୋଟ ଥିବାରୁ ସେଗୁଡ଼ିକୁ କମ୍ ଦରରେ ବିକ୍ରି କରାଯାଏ। ଆଉ ପ୍ରତି ବସ୍ତାରେ କିଛି ଆଳୁ ପଚା-ସଢ଼ା ମଧ୍ୟ ବାହାରିଥାଏ। ଏ ସବୁ ହିସାବକୁ ନେଲେ କିଣାରୁ ବିକ୍ରି ଭିତରେ ଲାଭ ମାତ୍ର ୨ରୁ ୪ ଟଙ୍କା।
