ସ୍ୱଚ୍ଛ ପରିବହନ ଦିଗରେ ଭାରତ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି, ୧ ଏପ୍ରିଲ ୨୦୨୬ରୁ ସାରା ଦେଶରେ ଇ୨୦ ପେଟ୍ରୋଲ ବିକ୍ରି ଆରମ୍ଭ ହୋଇଛି।ଆଜିଠୁ ଆପଣ ଗାଡ଼ିରେ ଯେଉଁ ତେଲ ପକାଇବେ ସେଥିରେ ୮୦ ପ୍ରତିଶତ ପେଟ୍ରୋଲ ଓ ୨୦ ପ୍ରତିଶତ ଇଥାନଲ ରହିବ। ଭୟଙ୍କର ତୈଳ ସଙ୍କଟ ସମୟରେ E20 ପେଟ୍ରୋଲ ବିକ୍ରିକୁ ବାଧ୍ୟତାମୂଳକ କରାଯାଇଛି। ଇଥାନଲ୍ ହେଉଛି ବୈଜ୍ଞାନିକ ପ୍ରକ୍ରିୟାରେ ଉତ୍ପାଦିତ ଏକ ପ୍ରକାର ଆଲକହଲ। ଯାହାକୁ ପେଟ୍ରୋଲରେ ମିଶା ଯାଇ ଯାନବାହନରେ ପରିବେଶ ଅନୁକୂଳ ଇନ୍ଧନ ଭାବେ ବ୍ୟବହାର କରାଯାଉଛି। ଏହା ମୁଖ୍ୟତଃ ଆଖୁ ରସ, ମକା, ପଚା ଆଳୁ ଓ ପଚା ପନିପରିବା ଭଳି ବର୍ଜ୍ୟଯୁକ୍ତ ସାମଗ୍ରୀରୁ ପ୍ରସ୍ତୁତ ହେଉଛି। ଯାହା ଲିଟର ପିଛା ୬୦ରୁ ୭୦ ଟଙ୍କାରେ ମିଳି ଯାଉଛି। ଅଟୋମୋବାଇଲ୍ ଇଞ୍ଜିନିୟରଙ୍କ କହିବା କଥା, ଗାଡ଼ି ପାଇଁ ଏହା ଆଦୌ କ୍ଷତିକାରକ ନୁହେଁ। କାର ମାଲିକଙ୍କ ଲାଗି ଏହାର ପ୍ରଭାବ ବାହନ ଉପରେ ନିର୍ଭର କରେ। ଭାରତରେ ବିକ୍ରି ହେଉଥିବା ଅଧିକାଂଶ ନୂଆ କାର ବିଶେଷ କରି ଗତ କିଛି ବର୍ଷ ହେଲା ନିର୍ମିତ କାରକୁ ଇ୨୦ ଅନୁକୂଳ ଡିଜାଇନ କରାଯାଇଛି। ବାହନ ନିର୍ମାତା କମ୍ପାନୀ ଉଚ୍ଚ ଇଥନଲ ମିଶ୍ରଣ ସହ ସୁହାଇବା ଭଳି ଇଞ୍ଜିନ ଓ ଇନ୍ଧନ ପ୍ରଣାଳୀକୁ ଅପଡେଟ କରୁଛନ୍ତି, ଯାହା ଦ୍ୱାରା ପ୍ରଦର୍ଶନ ଓ ବିଶ୍ୱସନୀୟତା ଅପ୍ରଭାବିତ ରହେ।ପୁରୁଣା ବାହନଙ୍କ ଲାଗି ସରକାର ଓ ନିର୍ମାତାମାନେ କହୁଛନ୍ତି ଯେ ଇ୨୦ ଉପଯୋଗ ହୋଇ ପାରିବ। ତେବେ କିଛି କ୍ଷେତ୍ରରେ ବାହନର ଇନ୍ଧନ ଦକ୍ଷତା ହ୍ରାସ ହୋଇପାରେ। ତେବେ ଉଚ୍ଚ ଅକ୍ଟେନ ରେଟିଂ ବିଶେଷ ପରିସ୍ଥିତିରେ ଇଞ୍ଜିନକୁ ସୂଚାରୁ ରୂପେ ଚଳାଇବାରେ ମଧ୍ୟ ସହାୟତା କରିବ।
