ଆମେରିକାର ମହାକାଶ ଗବେଷଣା କେନ୍ଦ୍ର ନାସାର ମୁନ ମିଶନ । ଫ୍ଲୋରିଡାର କେନେଡି ସ୍ପେଶ ସେଣ୍ଟରରୁ ଆର୍ଟେମିସ-୨କୁ ସଫଳତା ସହ ଲଞ୍ଚିଙ୍ଗ କରିଛି । ଭାରତୀୟ ସମୟ ଅନୁସାରେ ବୁଧବାର ରାତି ୩ଟା ୫୪ ମିନିଟରେ ବିଶାଳ ଏସଏଲଏସ ଓରିୟନ ସ୍ପେସକ୍ରାଫ୍ଟ ୪ ମହାକାଶଯାତ୍ରୀଙ୍କୁ ନେଇ ଯାତ୍ରା ଆରମ୍ଭ କରିଛି । ୧୯୭୨ ମସିହାର ‘ଆପୋଲୋ ୧୭’ ମିଶନ ପରେ ଏହା ପ୍ରଥମ ମାନବବାହୀ ଚନ୍ଦ୍ର ମିଶନ । ଏହି ମିଶନର ନେତୃତ୍ୱ ନେଉଛନ୍ତି କମାଣ୍ଡର ରିଡ୍ ୱାଇଜମ୍ୟାନ୍। ତାଙ୍କ ସହ ପାଇଲଟ୍ ଭାବେ ପ୍ରଥମ କୃଷ୍ଣକାୟ ମହାକାଶଚାରୀ ଭିକ୍ଟର ଗ୍ଲୋଭର , କ୍ରିଷ୍ଟିନା କୋଚ୍ ଏବଂ କାନାଡାର ଜେରେମି ହାନସେନ୍ ରହିଛନ୍ତି। ‘ଆର୍ଟେମିସ୍-୨’ ଏକ ପରୀକ୍ଷାମୂଳକ ମିଶନ। ଏଥିରେ ମହାକାଶଚାରୀମାନେ ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବେ ନାହିଁ, ବରଂ ଚନ୍ଦ୍ରର ଚାରିପଟେ ବୁଲି ପୃଥିବୀକୁ ଫେରିବେ । ପ୍ରାୟ ୧୦ ଦିନର ଏହି ଯାତ୍ରାରେ ସେମାନେ ମହାକାଶ ଯାନର ଅମ୍ଳଜାନ, ଯୋଗାଯୋଗ ଏବଂ ନିରାପତ୍ତା ବ୍ୟବସ୍ଥାକୁ ଯାଞ୍ଚ କରିବେ । ଏହି ସଫଳତା ପରେ ନାସା ‘ଆର୍ଟମସ୍-୩’ ମିଶନରେ ମଣିଷକୁ ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବା ପାଇଁ ଯୋଜନା ରଖିଛି ।
