ହର୍ମୁଜ ପ୍ରଣାଳୀରେ ବଢୁଛି ଯୁଦ୍ଧ ଆଶଙ୍କା, ତେହେରାନକୁ ପରବର୍ତ୍ତୀ ପଦକ୍ଷେପ ନେବାକୁ ପଡ଼ିବ କହିଲେ ଜେଡି ଭାନ୍ସ

ଇସଲାମାବାଦରେ ମାରାଥନ ଆଲୋଚନାରେ କୌଣସି ସହମତି ନମିଳିବା ପରେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ କହିଛନ୍ତି ଯେ ଇରାନକୁ ଶାନ୍ତି ଆଲୋଚନାରେ ପରବର୍ତ୍ତୀ ପଦକ୍ଷେପ ନେବାକୁ ପଡିବ । ଭାନ୍ସ ଜୋର ଦେଇ କହିଛନ୍ତି ଯେ, ଏକ ସମ୍ଭାବ୍ୟ ଚୁକ୍ତି ପାଇଁ ଇରାନ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି। ଇରାନ ହାତରେ ସବୁକିଛି ରହିଛି ।ଦୁଇ ସପ୍ତାହ ଧରି ଚାଲିଥିବା ଆମେରିକା-ଇରାନ ଅସ୍ତ୍ରବିରତିର ମିଆଦ ଶେଷ ହେଉଥିବାବେଳେ ଟ୍ରମ୍ପ ହର୍ମୁଜ୍ ପ୍ରଣାଳୀକୁ ଅବରୋଧ କରିବାକୁ ଧମକ ଦେଇଛନ୍ତି । ଅପରପକ୍ଷରେ ଆମେରିକା ଦୋହରା ନୀତି ଗ୍ରହଣ କରି ବୈଠକ ପାଇଁ ପ୍ରସ୍ତୁତି ମଧ୍ୟ କରୁଛି। ଡୋନାଲ୍ଡ ଟ୍ରମ୍ପଙ୍କ ଅଧିକାରୀମାନେ ଇରାନ ଅଧିକାରୀଙ୍କ ସହିତ ଦ୍ୱିତୀୟ ମୁହାଁମୁହିଁ ବୈଠକର ସମ୍ଭାବନା ଏବଂ ବିବରଣୀ ଉପରେ ଆଭ୍ୟନ୍ତରୀଣ ଆଲୋଚନା କରୁଛନ୍ତି । ଏହି ବୈଠକ ଏପ୍ରିଲ ୨୧ ଅସ୍ତ୍ରବିରତି ଶେଷ ହେବା ପୂର୍ବରୁ ହୋଇପାରେ ବୋଲି ଅନୁମାନ କରାଯାଉଛି । ତେବେ ଇରାନ ଉପରେ ଆମେରିକାର ନୌସେନା ଅବରୋଧ ବିଶ୍ୱ ରାଜନୀତିକୁ ଏକ ବିପଜ୍ଜନକ ମୋଡ଼କୁ ନେଇ ଆସିଛି । ବିଶେଷ କରି ଚୀନ୍ ଏହି ଅବରୋଧକୁ ଖୋଲାଖୋଲି ବିରୋଧ କରିବା ପରେ ଆମେରିକା ଓ ଚୀନ୍ ମଧ୍ୟରେ ସିଧାସଳଖ ସଂଘର୍ଷର ଆଶଙ୍କା ସୃଷ୍ଟି ହୋଇଛି । ଆମେରିକାର ପ୍ରତିବନ୍ଧକକୁ ଚୀନ ଚ୍ୟାଲେଞ୍ଜ କରିଛି।ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ଡୋଙ୍ଗ ଜୁନ୍ ଏକ କଠୋର ବୟାନ ଦେଇ କହିଛନ୍ତି, ‘ଇରାନ ସହିତ ଆମର ବାଣିଜ୍ୟିକ ସମ୍ପର୍କ ରହିଛି ଏବଂ କୌଣସି ତୃତୀୟ ପକ୍ଷ ଏଥିରେ ହସ୍ତକ୍ଷେପ କରିବା ଉଚିତ ନୁହେଁ । ଚୀନ୍ ନିଜର ତେଲ ଟ୍ୟାଙ୍କର ଗୁଡ଼ିକୁ ସୁରକ୍ଷା ଦେବା ପାଇଁ ଯୁଦ୍ଧ ଜାହାଜ ପଠାଇବାକୁ ସଙ୍କେତ ଦେଇଛି । ଅନ୍ୟପଟେ ହ୍ୱାଇଟ୍ ହାଉସ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଯେଉଁ ଦେଶ ଇରାନକୁ ସାହାଯ୍ୟ କରିବ ସେମାନଙ୍କୁ କଠୋର ଆର୍ଥିକ ଦଣ୍ଡ ଭୋଗିବାକୁ ପଡ଼ିବ । ଆମେରିକାର ସେଣ୍ଟ୍ରାଲ କମାଣ୍ଡ ସୂଚନା ଦେଇଛି, ଇରାନ ଅଭିମୁଖେ ଯାଉଥିବା ଯେକୌଣସି ଜାହାଜକୁ ଯାଞ୍ଚ କରାଯିବ, ସେଥିରେ ଚୀନ୍ର ପତାକା ଥାଉ କିମ୍ବା ଅନ୍ୟ କାହାର ।

ଅଧିକ ପଢନ୍ତୁ